ଅମୃତପାଲର ସହକର୍ମୀଙ୍କ ମୁକ୍ତି ଦାବି କଲା ଶିଖ ସଂଗଠନ
ଚଣ୍ଡୀଗଡ଼: ପଞ୍ଜାବ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଖଲିସ୍ତାନ ସମର୍ଥକ ଓ ପଳାତକ ଅମୃତପାଲର ଖୋଜଖବର ନାହିଁ । ପୁଲିସ ଅମୃତପାଲର ଶତାଧିକ ସମର୍ଥକଙ୍କୁ ଗିରଫ କରିଛି । ଇତିମଧ୍ୟରେ ଅମୃତପାଲଙ୍କ ସମର୍ଥକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଜୋରଦାର ହେଲାଣି । ଅମୃତପାଲଙ୍କ ସାଥିମାନଙ୍କୁ ୨୪ ଘଂଟା ଭିତରେ ମୁକ୍ତ କରିବା ପାଇଁ ଶିଖ ସଂଗଠନ ଜଠେଦାର ଅକାଲ ତଖ୍ତ କଡ଼ା ଚେତାବନୀ କରିଛି । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ୍ଜିପିସି) ମୁଖ୍ୟ ହରଜିନ୍ଦର ସିଂ ଧାମୀ କହିଛନ୍ତି ଯେ ସରକାର ୨୪ ଘଂଟା ଭିତରେ ଅମୃତପାଲଙ୍କ ସହକର୍ମୀଙ୍କୁ ମୁକ୍ତ ନକଲେ, ତାଙ୍କ ସଂଗଠନ ଗାଁକୁ ଗାଁ ଯାଇ ଲୋକମାନଙ୍କୁ ପଞ୍ଜାବ ସରକାରଙ୍କ ବିରୋଧରେ ମେଳି ପାଇଁ ପ୍ରସ୍ତୁତ କରିବ । ବିଶେଷ କରି ଯୋଉମାନଙ୍କୁ ଗିରଫ କରାଯାଇଛି, ସେମାନଙ୍କ ପରିବାର ଲୋକଙ୍କୁ ଏକଜୁଟ କରି ଅଦାଲତରେ ନ୍ୟାୟଗତ ଲଢେ଼ଇ ବ୍ୟବସ୍ଥା କରାଯିବ ।
ହରଜିନ୍ଦର ଅଭିଯୋଗ କରିଛନ୍ତି, ଅମୃତପାଲ ବିରୋଧରେ ପଞ୍ଜାବ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏଭଳି ବର୍ଣ୍ଣନା କରାଯାଉଛି; ସେଥିରୁ ଶିଖ ସମୁଦାୟକୁ ବଦନାମ କରିବାର ଅପଚେଷ୍ଟା ଚାଲିଥିବାର ପ୍ରତୀୟମାନ ହେଉଛି । ଜାତୀୟ ଗଣମାଧ୍ୟମ ବିରୋଧରେ ଅଦାଲତକୁ ଯିବ ଧାମୀଙ୍କ ସଂଗଠନ ।
ୟୁପି ବାଟ ଦେଇ ଅମୃତପାଲ ନେପାଳକୁ ପଳାଇବାର ଆଶଙ୍କା କରାଯାଉଛି । ତେଣୁ ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ଉତରାଖଣ୍ଡ ପରେ ଏବେ ନେପାଳରେ ଧରପଗଡ଼ ଜୋରଦାର ହୋଇଛି ।