କସରତ ଓ ନାଚ କରିବାକୁ ରିତିକଙ୍କୁ ବାରଣ କରିଥିଲେ ଡାକ୍ତର

ସୁନ୍ଦର ଶରୀର ଓ ଭଲ ଡ୍ୟାନ୍‌ସର ପାଇଁ ଅଭିନେତା ରିତିକ ରୋଶନ ବେଶ ଜଣାଶୁଣା । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଦିନେ ଡାକ୍ତରଙ୍କ ପାଖକୁ ଯାଇଥିଲେ ରିତିକ । ପିଲାଦିନେ ସେ ବହୁତ ଦୁର୍ବଳ ଓ ପତଳା ଥିଲେ । ମେରୁଦଣ୍ଡ ଦୁର୍ବଳ କାରଣରୁ ନିୟମିତ କଠିନ ବ୍ୟାୟାମ କରିବା ପାଇଁ ଡାକ୍ତର ତାଙ୍କୁ ମନା କରିଥିଲେ । ଏପରିକି ନାଚ ଶିଖିବାକୁ ବାରଣ କରିଥିଲେ ।

ଡାକ୍ତରଙ୍କ ପରାମର୍ଶକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କଲେ ରିତିକ । ସୁନ୍ଦର ଶରୀର ପାଇଁ କିଭଳି ବ୍ୟାୟାମ ଜରୁରୀ, ତାହା ଜାଣିବା ପାଇଁ ବଜାରରୁ କସରତ ଓ ବ୍ୟାୟାମ ପୁସ୍ତକ ପୁଳାଏ କିଣିଲେ । ବହିରେ ଲେଖା ଯାଇଥିବା ପଦ୍ଧତି ମୁତାବକ ବ୍ୟାୟାମ ଓ କସରତ କଲେ । ଦିନକୁ ଦିନ ତାଙ୍କର ଶାରୀରିକ ଗଠନ ବଳିଷ୍ଠ ହେବାକୁ ଲାଗିଲା । ତାଙ୍କର ନାଚ କରିବାର ଶୈଳୀ ଅନେକଙ୍କୁ ପ୍ରଭାବିତ କଲା ।

ତାଙ୍କ ବାପା ରାକେଶ ରୋଶନ ତାଙ୍କୁ ପ୍ରଥମେ ‘କହୋ ନା ପ୍ୟାରେ ହୈ’ ଚଳଚ୍ଚିତ୍ରରେ ବ୍ରେକ୍‌ ଦେଇଥିଲେ । ଚଳଚ୍ଚିତ୍ରଟିର ସଫଳତା ତାଙ୍କୁ ରାତାରାତି ଷ୍ଟାର କରିଦେଲା । ତା’ ପରେ ରିତିକ ଆଉ ପଛକୁ ଅନାଇ ନାହାନ୍ତି । ତାଙ୍କର ହାତଗଣତି ଚଳଚ୍ଚିତ୍ର ବକ୍ସ ଅଫିସରେ ମାଡ଼ ଖାଇଯାଇଛି । ମାତ୍ର ବଲିଉଡ୍‌ରେ ଏବେବି ତାଙ୍କର ଲୋକପ୍ରିୟତା ରହିଛି । ସୁନ୍ଦର ଶରୀର ପାଇଁ ଏବେ ମଧ୍ୟ ତାଙ୍କର ପତିଆରା ରହିଛି ।