ଯୁବଗୋଷ୍ଠୀଙ୍କୁ ଷ୍ଟାର୍ଟଅପ୍‌ କୁହୁଡ଼ି ଧରିବାକୁ କହୁଛନ୍ତି ପ୍ରଧାନମନ୍ତ୍ରୀ

NO JOB SITUATION

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାର୍ଟଅପ୍‌କୁ ଯଥେଷ୍ଟ ପ୍ରୋତ୍ସାହନ ଦିଆଯାଇଛି । ଗତ ୭ ବର୍ଷ ଭିତରେ ବହୁ ଷ୍ଟାର୍ଟଅପ୍‌ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସେମାନଙ୍କର କର୍ମଚାରୀ ଛଟେଇ ହାର ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି ।
ଆର୍ଥିକ ମାନ୍ଦାବସ୍ଥା ଦର୍ଶାଇ ବହୁ ଷ୍ଟାର୍ଟଅପ୍‌ କମ୍ପାନୀ ୨୩ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

ଯେତେବେଳେ କି ଆର୍ଥିକ ମାନ୍ଦାବସ୍ଥାକୁ ଆଳ କରି କେନ୍ଦ୍ର କି ରାଜ୍ୟର କୌଣସି କର୍ମଚାରୀଙ୍କ ଜୀବନରେ ଛଟେଇ ଭଳି ଅନାଲୋଚିତ ପ୍ରସଙ୍ଗ ଜୁଟିନି । ଷ୍ଟାର୍ଟଅପ୍‌ କମ୍ପାନୀରେ କର୍ମଚାରୀ ଛଟେଇ ତାଲିକା ଦିନକୁ ଦିନ ବଢ଼ିଚାଲିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଷ୍ଟାର୍ଟଅପ୍‌ ଆଳରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା କରଜ କରି ପରେ ତାକୁ ବନ୍ଦ କରିବା ବହୁ ଉଦ୍ୟୋଗୀଙ୍କ ଅଭ୍ୟାସଗତ ଅପରାଧ ହୋଇଯାଇଛି ।

ଅନେକ କମ୍ପାନୀ ଖର୍ଚ୍ଚକାଟ ଆଳ ଦେଖାଇ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି; କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଜାଣିଶୁଣି ନିରବ ରହୁଛନ୍ତି । କିଛି ଷ୍ଟାର୍ଟଅପ୍‌ ଅଛନ୍ତି ଅଧିକ ଦରମା ପ୍ରତିଶ୍ରୁତି ଦେଇ କର୍ମଚାରୀଙ୍କୁ ନିଯୁକ୍ତ କରିବେ; ସ୍ଥିତି ଦୃଢ଼ ହୋଇଗଲା ପରେ ନାନା ଆଳ ଦେଖାଇ କର୍ମଚାରୀଙ୍କୁ ଛଟେଇ କରିବେ ।

ବେସରକାରୀ ବା ଘରୋଇ କର୍ମଚାରୀଙ୍କ ଚାକିରି ସ୍ଥିତି ଦୃଢ଼ କରିବା ପାଇଁ ସରକାରୀ ସ୍ତରରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏଭଳି ସଂକଟ ଉପୁଜିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ବହୁ ଉଦ୍ୟୋଗୀ ଷ୍ଟାର୍ଟଅପ୍‌ ଆରମ୍ଭ କରି ସରକାରଙ୍କ ପ୍ରିୟଭାଜନ ହେଲେ; ଏବେ କର୍ମଚାରୀ ଛଟେଇ କରି ସାଧାରଣ ଜନତାଙ୍କର ସମାଲୋଚନାର ପାତ୍ର ହେଉଛନ୍ତି । ଏସବୁ ବ୍ୟତିକ୍ରମ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାହିଁକି ଦାୟୀ କରା ନଯିବ?

କର୍ମଚାରୀ ଛଟେଇ କରିଥିବା ତାଲିକାରେ ଅଛନ୍ତି ବାଇଜୁସ, ଓଲା, ଓୟୋ, ମେସୋ, ଏମ୍‌ପିଏଲ୍‌, ଲାଇଭସ୍ପେସ, ଇନୋଭେକର, ଉଡାନ, ଅନ୍‌ଏକାଡେମୀ ଓ ବେଦାନ୍ତୁ । ଅନିଶ୍ଚିତ ବଜାର କାରଣରୁ କିଛି କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ମେଟା, ଆଲଫାବେଟ୍‌, ଆମାଜନ ଓ ଆସେଂଚର ଭଳି ବଡ଼ବଡ଼ କମ୍ପାନୀ ମଧ୍ୟ ହଜାର ହଜାର ସଂଖ୍ୟକ କର୍ମଚାରୀ ଛଟେଇ କରିଛନ୍ତି । ଛଟେଇ କାରଣରୁ କର୍ମଚାରୀଙ୍କ ସମସ୍ୟା ବଢ଼ିଛି; ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ତା’ର କୌଣସି ପ୍ରଭାବ ପଡୁନାହିଁ ।