ଟ୍ରାକ୍‌ ଉପରେ ଅଳିଆ ପକାଇଲେ ଟ୍ରେନ୍‌ କର୍ମଚାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଛି ଯାହାକୁ ସାଧାରଣ ଲୋକମାନେ ତୀବ୍ର ନିନ୍ଦା କରିଛନ୍ତି । ରେଳ କର୍ମଚାରୀମାନେ ଯଦି ଦାୟିତ୍ୱହୀନ କାମ କରିବେ, ସାଧାରଣ ଲୋକଙ୍କ ନିକଟରୁ କ’ଣ ଆଶା କରାଯିବ? ଏକ୍ସ ସୋସିଆଲ ମିଡିଆରେ ମୁମ୍ବାଇ ମ୍ୟାଟର୍ସ ନାମକ ଏକ ଆକାଉଂଟରୁ ଭାଇରାଲ ଭିଡିଓଟିରେ ଗୋଟିଏ ଚଳନ୍ତା ଟ୍ରେନରୁ ଜଣେ ରେଳ କର୍ମଚାରୀ ବଗି ଭିତରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ଏକାଠି କରି ରେଳ ଧାରଣା ଉପରକୁ ପକାଇ ଦେଉଛନ୍ତି । କର୍ମଚାରୀ ଜଣକ ଯୋଉ ହାଲତରେ ଅଳିଆ ପକାଉଥିଲେ, ସଂପୃକ୍ତ କର୍ମଚାରୀ ତାଙ୍କ ଜୀବନକୁ ବାଜି ଲଗାଇ ଦେଇଥିଲେ । ଭିଡିଓ ତଳେ କର୍ମଚାରୀ ଜଣକ ଲେଖିଥିଲେ ଯେ ତାଙ୍କୁ ଉଚିତ ପାରିଶ୍ରମିକ ମିଳୁନି, ଅଳିଆ ଏକାଠି କରିବା ପାଇଁ ଆବଶ୍ୟକ ମୁତାବକ ଥଳି ଯୋଗାଇ ଦିଆଯାଉନି । ତେଣୁ ସେ ବାଧ୍ୟ ହୋଇ ଏଭଳି କାମ କରୁଛନ୍ତି ।

କିଛି ଯାତ୍ରୀ ରେଳ ପରିଚାଳକଙ୍କ ନିକଟକୁ ଅଭିଯୋଗ କଲେ । ରେଳ ଅଧିକାରୀ ସଂପୃକ୍ତ ଟ୍ରେନ ଓ ବଗି ନମ୍ବର ଜାଣିବାକୁ ଚାହିଁଲେ । ତଥ୍ୟ ପାଇବା ପରେ ରେଳ ଅଧିକାରୀ ଜଣକ ‘ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ସାନ୍ତ୍ୱନାମୂଳକ ବାରତାଟିଏ ପଠାଇଦେଲେ । ଅଧିକାଂଶ ଚଳନ୍ତା ଟ୍ରେନରେ ସେଭଳି ଘଟଣା ଦେହସୁହା ହୋଇଗଲାଣି ।