ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ଜନ୍ମସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ଓଡ଼ିଆ ଜାତି ପାଇଁ କୁଳବୃଦ୍ଧ ମଧୁବାବୁଙ୍କ ବଡ ସ୍ୱପ୍ନ ଓ ବଡ ଚିନ୍ତା ବ୍ୟର୍ଥ ଯିବ ନାହିଁ ଏବଂ ଏହା ଆଜିର ନାଗରିକଙ୍କର ଦାୟିତ୍ୱ ବୋଲି ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ସତ୍ୟଭାମାପୁର ଗସ୍ତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପ୍ରଥମେ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ‘ମଧୁବାବୁଙ୍କ ଏନ୍ତୁଡ଼ିଶାଳ’ ବୁଲିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁଙ୍କ ଧାମ ଯେତିକି ପବିତ୍ର, ମଧୁବାବୁଙ୍କ ଜନ୍ମସ୍ଥାନ ମଧ୍ୟ ସମସ୍ତଙ୍କ ପାଇଁ ସେତିକି ପବିତ୍ର କ୍ଷେତ୍ର । ବର୍ତ୍ତମାନର ଦେଶ ବିଦେଶର ରାଜନୀତି, ସମାଜିକ ନୀତି ଓ ଅର୍ଥନୀତିକୁ ଶତାବ୍ଦୀ ପୂର୍ବରୁ ଆମ ସମସ୍ତଙ୍କ ପ୍ରିୟ ଯୁଗପୁରୁଷ ମଧୁବାବୁ କଳ୍ପନା କରିଥିଲେ । ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ଭାଷା, ଓଡ଼ିଆ ଯୁବକର ଶିକ୍ଷା, ରୋଜଗାର ଏବଂ ଓଡ଼ିଶାର ବିକାଶ କଥା ଭାବିଥିଲେ । ଓଡ଼ିଆ ଲୋକ ବଡ ଭାବିପାରେ, ବଡ଼ ସ୍ୱପ୍ନ ଦେଖିପାରେ । ଏହା ତାଙ୍କ ବ୍ୟକ୍ତିତ୍ୱରୁ ଅନୁମେୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶିଳ୍ପ ଓ ଦକ୍ଷତାର ବିକାଶ ପାଇଁ ମଧୁବାବୁଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

ଆମ ରାଜ୍ୟ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ୧୩ ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ଦେଶର ଅମୃତ କାଳ ସମୟରେ ମଧୁବାବୁଙ୍କ ୨୦୦ ବର୍ଷ ଜୟନ୍ତୀ ହେବ ଏବଂ ସେଥିପାଇଁ ଆମେ ଏବେଠୁ ଯୋଜନା କରିବା ଦରକାର । ମଧୁବାବୁଙ୍କ ଜୟନ୍ତୀକୁ ସବୁବେଳେ ଓଡ଼ିଆ ଲୋକମାନେ ପାଳନ କରନ୍ତୁ । ତାଙ୍କର ପୁଣ୍ୟ ଜନ୍ମ ଦିବସରେ ଓଡ଼ିଆ ଭାଷା, ଜାତି, ସଂସ୍କୃତି, ଅସ୍ମିତାକୁ ନେଇ ସାଢେ ୪ କୋଟି ଓଡ଼ିଆ ଲୋକମାନଙ୍କ ଆତ୍ମବିଶ୍ୱାସ ଜାଗ୍ରତ ହେଉ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଶ୍ରୀ ପ୍ରଧାନ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିସରରେ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ।