ଲିଙ୍ଗଗତ ସମାନତା ଦାବିରେ ଟପ୍‌ଲେସ୍‌ ହେଲେ ମହିଳା

ବର୍ଲିନ୍‌: ରାଜଧାନୀ ବର୍ଲିନରେ ଲିଙ୍ଗଗତ ସମାନତା ଦାବି ନେଇ ଟପଲେସ୍‌ ହୋଇ ପ୍ରତିବାଦ କରିଛନ୍ତି ମହିଳା । ମହିଳାମାନେ ବିନା କପଡ଼ାରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ଜଣେ ଫରାସୀ ମହିଳା ପାର୍କରେ ବିନା ଟପ୍‌ରେ ସନବାଥ୍‌ ନେଉଥିବା ଅଭିଯୋଗରେ ତାଙ୍କୁ ପାର୍କରୁ ବାହାର କରିଦିଆଯାଇଥିଲା ଯାହାକୁ ବିରୋଧ କରି ଏଭଳି ପ୍ରତିବାଦ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଫରାସି ମହିଳା ନିଜର ଜଣେ ବନ୍ଧୁ ଏବଂ ୨ଜଣ ଶିଶୁଙ୍କୁ ସୁଇମିଂ ପାର୍କରେ ଖେଳିବା ପାଇଁ ନେଇଥିଲେ । ସେଠାରେ ସେ ଟପଲେସ୍‌ ହୋଇ ସନବାଥ୍‌ ନେଉଥିଲେ । ସେଠାରେ ଦାୟିତ୍ୱରେ ଥିବା ଗାର୍ଡ ଜଣଙ୍କ ମହିଳାଙ୍କୁ ସ୍ତନ ଘୋଡାଇବାକୁ କହିଥିଲେ । ମହିଳାଜଣକ ଏଥିନେଇ ରାଜି ହୋଇନଥିଲେ । ତାଙ୍କ ଯୁକ୍ତି ହେଲା ଯେ, ଯଦି ପୁରୁଷମାନେ ବିନା ଟପ୍‌ରେ ବୁଲୁଛନ୍ତି ସେ କାହିଁକି ନୁହେଁ । କିନ୍ତୁ ଗାର୍ଡ ତାଙ୍କ ଯୁକ୍ତି ନଶୁଣି ତାଙ୍କୁ ପାର୍କୁ ବାହାର କରିଦେଇଥିଲେ । ବର୍ଲିନର ମେରିଏନ୍‌ ପ୍ଳାଜାରେ ମହିଳାମାନେ ଅଧିକାରୀଙ୍କ ଏହି ଫଇସଲାକୁ ବିରୋଧ କରିଥିଲେ ଏବଂ ଲିଙ୍ଗଗତ ସମାନତା ଦାବି କରିବା ସହ ଟପଲେସ୍‌ ହୋଇ ସରକାରଙ୍କ ନିକଟରେ ନିଜ ଦାବି ରଖିଥିଲେ । ତେବେ ବିଶେଷ କଥା ଏହା ଯେ, ସମାନତାକୁ ନେଇ କରାଯାଉଥିବା ପ୍ରଦର୍ଶନର ଡ୍ରେସକୋର୍ଡ ଥିଲା ଟପଲେସ୍‌ ହେବା । ଯାହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ତେବେ କିଛି ମହିଳା ନିଜ ସ୍ତନରେ ଟାଟୁ ମଧ୍ୟ କରିଥିଲେ । ମହିଳାଙ୍କ ଏହି ଦାବିକୁ ସମର୍ଥନ ଜଣାଇ ପ୍ରତିବାଦରେ ସାମିଲ ହୋଇଥିବା ପୁରୁଷମାନେ ବି ବ୍ରା ପିନ୍ଧି ଏହାକୁ ସମର୍ଥନ ଜଣାଇଥିଲେ ।