୨୦୦୦ଟଙ୍କିଆ ନୋଟକୁ ନେଇ କ’ଣ ହେଲା ବଡ ପରିବର୍ତ୍ତନ?

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ରୋକ ଲଗାଇବା ଦିନରୁ ଏହାକୁ ନେଇ ଚର୍ଚ୍ଚା ଲାଜି ରହିଛି । ବର୍ତ୍ତମାନ ଅଦାଲତ ଏହାକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ଲାଙ୍କ ସ୍ଲିପ କିମ୍ବା ପରିଚୟ ପତ୍ର ବିନା ୨୦୦୦ ଟଙ୍କିଆ ନୋଟ ପରିବର୍ତ୍ତନର ନୋଟିଫିକେସନକୁ ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ଏକ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତର ମୁଖ୍ୟ ନ୍ୟାୟଧୀଶ ସତୀଶ କୁମାର ଶର୍ମା ଏବଂ ନ୍ୟାୟମୂର୍ତ୍ତି ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ରିଜର୍ଭ ବ୍ୟାଙ୍କ କିମ୍ବା ଷ୍ଟେଟ ବ୍ୟାଙ୍କର ସ୍ଲିପ ପୂରଣ ନ କରି କିମ୍ବା ପରିଚୟ ପତ୍ର ବିନା ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ କରିବା ନିଷ୍ପତ୍ତିକୁ ଚାଲେଞ୍ଜ କରା ଯାଇଥିଲା ।

ଆବେଦନକାରୀ ତଥା ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟ କହିଛନ୍ତି ଯେ, ଏହି ନୋଟଗୁଡିକ ଅଧିକ ପରିମାଣରେ କୌଣସି ବ୍ୟକ୍ତିଙ୍କ ଟ୍ରେଜେରୀରେ ପହଞ୍ଚି ଯାଇପାରେ । କିମ୍ବା ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀ, ମାଓବାଦୀ ବା ଡ୍ରଗ ମାଫିଆ ବା ଅନ୍ୟାନ୍ୟ ବେଆଇନ ବ୍ୟବସାୟୀଙ୍କ ନିକଟରେ ରହିଛି । ଆବେଦନରେ କୁହାଯାଇଛି ଯେ, ଏହି ବିଜ୍ଞପ୍ତି ଅବାଧ୍ୟ, ତର୍କହୀନ ଏବଂ ସମ୍ବିଧାନର ଧାରା-୧୪ର ଉଲ୍ଲଙ୍ଘନ କରୁଛି । ତେବେ ଏହାକୁ ସାମନା କରି ରିଜର୍ଭ ବ୍ୟାଙ୍କ କହିଥିଲେ ଯେ, ଏହା ନୋଟବନ୍ଦୀ ନୁହେଁ, ବରଂ ଏକ ବୈଧାନିକ କାର୍ଯ୍ୟାନୁଷ୍ଠାନ କୁହାଯାଇପାରେ ।

ହାଇକୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଥିଲା ଯେ, ୨୦୦୦ ଟଙ୍କିଆ ନୋଟ କେବଳ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଏହାଦ୍ୱାରା କଳାଧନ ଏବଂ ଆୟରୁ ଅଧିକ ସମ୍ପତ୍ତି ରଖୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ପାରିବ । ତେବେ ଗତ ୨୩ ତାରିଖରୁ ୨୦୦୦ ଟଙ୍କିଆ ନୋଟର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।