ମୋଦୀଙ୍କ ‘ଅଚ୍ଛେ ଦିନ’ ଖଟିଖିଆଙ୍କୁ ଚାବୁକ ମାଡ଼

ସରକାରଙ୍କ ହାତରୁ ଖସିଯାଇଛି ଦରଦାମ ଲଗାମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଅଚ୍ଛେଦିନ’ ଯାହାକୁ ଆମେ ‘ଭଲଦିନ’ ବା ‘ସୁଦିନ’ କହୁ, ଖଟିଖିଆଙ୍କ ପିଠିରେ ଚାବୁକ୍‌ ମାଡ଼ର କାମ କରିଛି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନିଶ୍ଚିନ୍ତ । ମାତ୍ର ଦିନ ମଜୁରିଆ, ଖଟିଖିଆ ଗରିବ ପରିବାର ପକ୍ଷେ ବଂଚିବା ଏକ ଅଭିଶାପ ପାଲଟିଛି । ତେଲଲୁଣ ସଂସାର ଭିତରେ ପେଶି ହୋଇଯାଉଛି ସାଧାରଣ ମଣିଷ । ସରକାରଙ୍କ ଜିଏସ୍‌ଟି ମାଡ଼ରେ ଘାଇଲା ବ୍ୟବସାୟୀମାନେ ସାଧାରଣ ଖାଉଟିଙ୍କ ରକ୍ତ ଝୁଣୁଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଖାଉଟିଙ୍କ ଆଖିରୁ ନିଦ ହଜାଇଛି । ନିକଟ ଭବିଷ୍ୟତରେ ମହଙ୍ଗା ମାଡ଼ରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ ବୋଲି ଶୁକ୍ରବାର ଆରବିଆଇ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଜଣାଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦରଦାମ ନିୟନ୍ତ୍ରଣ ଦାୟିତ୍ୱ ଉଭୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଓ କେନ୍ଦ୍ର ସରକାରଙ୍କର । କିନ୍ତୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବିବୃତିରୁ ଜଣାଯାଉଛି ଯେ ଦରଦାମ ନିୟନ୍ତ୍ରଣ ଚାବୁକଟି ଏବେ କେନ୍ଦ୍ର ଓ ଆରବିଆଇ ହାତରୁ ଖସିଯାଇଛି । ମାତ୍ର ଗୋଟିଏ ସପ୍ତାହ ଭିତରେ ସିଏନ୍‌୍‌ଜି, ପିଏନ୍‌ଜି, ଦହି, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଛି । ଶୁକ୍ରବାର ବୈଠକରେ ଆରବିଆଇ ରେପୋରେଟ୍‌ ବଢ଼ାଇବ । ଫଳରେ ଗାଡ଼ି ଋଣ ଓ ଗୃହ ଋଣ ମହଙ୍ଗା ହେବ; ଯା’ର ପରିଣାମ ସ୍ୱରୂପ ଋଣଗ୍ରହୀତାଙ୍କ ଉପରେ ମାସିକ ଋଣ କିସ୍ତି ବୃଦ୍ଧି ପାଇବ । ପ୍ରାୟ ସବୁ ବର୍ଗର ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡୁଛି, ମାତ୍ର ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀ, ରାଷ୍ଟ୍ରାୟତ ସଂସ୍ଥାର କର୍ମଚାରୀଙ୍କ ଉପରେ ମହଙ୍ଗା ମାଡ଼ର ପ୍ରଭାବ ଅତି ନଗଣ୍ୟ । ମହଙ୍ଗା ମାଡ଼ରେ ଛଟପଟ ଦେଶବାସୀଙ୍କ ମୁହଁରେ ହସ ନାହିଁ, ଏଭଳି ପରିବେଶରେ ‘ଆଜାଦି କା ଅମ୍ରିତ ମହୋତ୍ସବ’ (ସ୍ୱାଧୀନତାର ଅମୃତ ମହୋତ୍ସବ) ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ‘ଭାତ ନମିଳିଲେ ପଲାଉ ଖାଅ’ ଭଳି ମନେହୁଏ ।