ଅପରାଧୀ କିଏ କଣ୍ଡୋମ ରୁ ଧରାପଡିଲା

ଭୋପାଳ: ଏକ ଜଘନ୍ୟ ଅପରାଧ ଘଟାଇ ଅପରାଧୀମାନେ ପ୍ରମାଣ ନଷ୍ଟ କରିଦେଇଥିଲେ । ହେଲେ ମୃତଦେହ ନିକଟରୁ ପୋଲିସ ଜବତ କରିଥିବା ଏକ ବ୍ୟବହୃତ କଣ୍ଡୋମରୁ ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାରୁ ରହସ୍ୟା ହଟିବା ସହ ହତ୍ୟାକାରୀ ଧରାପଡିଥିଲା । ଏହି ଘଟଣା ଏବେ ଭୋପାଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗତ ଜୁନ୍ ମାସ୧୭ ତାରିଖରେ ଭୋପାଳର ଭିଣ୍ଡ ଅଂଚଳର କାଇମୋଖରୀ ଗାଁ ରାସ୍ତା କଡରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶବଟି ଏକ ଗାତ ଭିତରେ ପଡିଥିବାରୁ ଏହା ଦୁର୍ଘଟଣା ବୋଲି ପ୍ରଥମେ ସନ୍ଦେହ କରାଯାଇଥିଲା । ହେଲେ ଶବ ବ୍ୟବଚ୍ଛେଦ ପରେ ମୃତା ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ପରେ ମୃତଦେହ ମିଳିଥିବା ସ୍ଥାନରୁ ଏକ ବ୍ୟବହୃତ କଣ୍ଡୋମ ଜବତ କରିଥିଲା । ଉକ୍ତ କଣ୍ଡୋମକୁ ଆଧାର କରି ପୋଲିସ ଛାନଭିନ ଆରମ୍ଭ କରିଥିଲା ।

ସାଇଂଟିଫିକ ଟିମ ସହାୟତାରେ ତଦନ୍ତ କରୁଥିବା ବେଳେ ପୁଲିସ ପ୍ରଥମେ କଣ୍ଡୋମର ବ୍ୟାଚ ନମ୍ବର ବିଷୟରେ ଜାଣିବାକୁ ଚେଷ୍ଠା କରିଥିଲା । ଏଥି ସହିତ ପୋଷ୍ଟର ଛପାଇ ମୃତକଙ୍କ ପରିଚୟ ଖୋଜିିଥିଲା । ଏହି ହତ୍ୟାକାଣ୍ଡର ତଦନ୍ତବେଳେ ପୁଲିସ କଣ୍ଡୋମ ବ୍ୟାଚରୁ ଜାଣିବାକୁ ପାଇଥିଲା ଯେ ମିହୋନା ସରକାରୀ ଡାକ୍ତରଖାନା ଦ୍ୱାରା ପରିବାର ନିୟୋଜନ ପାଇଁ ଏହି କଣ୍ଡୋମ ବଂଟନ କରାଯାଇଥିଲା । ପୁଲିସ ମଧ୍ୟ ଡାକ୍ତରଖାନା ଯାଇ ଘଟଣାର ଅନୁସନ୍ଧାନ କରିଥିଲା । କେଉଁ ଅଂଚଳରେ ଏହି କଣ୍ଡୋମ ବଂଟନ କରାଯାଇଥିଲା ତାହାର ତଥ୍ୟ ସଂଗ୍ରହ କରିଥିଲା । ଉକ୍ତ ତଥ୍ୟକୁ ଆଧାର କରି ପୋଲିସ ଉକ୍ତ କଣ୍ଡୋମକୁ କିଏ ବ୍ୟବହାର କରିଥିଲା ତାହା ଜାଣିବାକୁ ଚେଷ୍ଠା କରିଥିଲା ।

ଶେଷରେ ଉକ୍ତ କଣ୍ଡୋମଟିକୁ ଶ୍ୟାମ ନାମକ ବ୍ୟକ୍ତି ନେଇଥିବା ପୁଲିସ ଜାଣିବାକୁ ପାଇଥିଲା । ଇତି ମଧ୍ୟରେ ପୋଲିସ ପୋଷ୍ଟର ସାହାଯ୍ୟରେ ମହିଳାଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା । ମୃତକଙ୍କ ପରିବାର ଲୋକ ଅଭିଯୁକ୍ତ ଶ୍ୟାମଙ୍କୁ ଚିହ୍ନଟ କରିଥିଲେ । ପଚରାଉଚରା ବେଳେ ଶ୍ୟାମ ପୁରା ଘଟଣା ସମ୍ପର୍କରେ ପୁଲିସକୁ କହିଥିଲା । ପୁଲିସ ଏହି ମାମଲାରେ ଶ୍ୟାମଙ୍କ ସହିତ ଅଙ୍କିତ ଏବଂ ବିକି ନାମକ ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ ପାଇଁ ମହିଳାଙ୍କୁ ଏକ ଗାତରେ ଫିଙ୍ଗି ତାଙ୍କ ମୋବାଇଲକୁ ଓଏଲଏକ୍ସରେ ବିକ୍ରି କରିଥିବା କହିଥିଲେ । ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।