କିଏ ପ୍ରଥମ ଚିଠି ଲେଖିଥିଲେ? କାହା ନିକଟକୁ ଲେଖିଥିଲେ?
ବିଶ୍ୱରେ ଡାକ ବ୍ୟବସ୍ଥା ପ୍ରଚଳନ କେବେଠାରୁ ଆରମ୍ଭ ହୋଇଥିଲା? କିଏ କାହା ନିକଟକୁ ପ୍ରଥମ ଚିଠି ଲେଖିଥିଲେ? ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନକୁ ଆସିଛି? ଅଧିକାଂଶ ଲୋକ ଏଭଳି ପ୍ରଶ୍ନକୁ ଗୁରୁତ୍ୱହୀନ ମଣୁଥିବେ । ମାତ୍ର ପ୍ରଶ୍ନଟା ଭାରି ଓଜନିଆ ନିଶ୍ଚିତ ।
ଜବାବ ହେଉଛି ପର୍ସିଆନ୍ ରାଣୀ ଆଟୋସା ବିଶ୍ୱରେ ପ୍ରଥମ ଚିଠି ଲେଖିଥିଲେ । ଏ ଜବାବର ସତ୍ୟତା ପ୍ରତି ଅନେକଙ୍କ ମନରେ ସନ୍ଦେହ ପ୍ରକାଶ ପାଇପାରେ । ଆଜିକାଲି ଚିଠି ପାଇଁ ବଜାରରେ ସୁନ୍ଦର ସୁଶୋଭିତ କାର୍ଡ ମିଳୁଛି । ସୋସିଆଲ ମିଡିଆ ଯୁଗରେ ହୁଏତ ଚିଠି ଆଦାନ ପ୍ରଦାନ ବ୍ୟବସ୍ଥା ଗୌଣ ହୋଇପାରେ । ଇ-ମେଲ ଓ ମୋବାଇଲ ଯୁଗରେ ଡାକ ବିଭାଗ ଅଲୋଡ଼ା ହୋଇଯାଇଛି!
ଦିନ ଥିଲା । ଡାକ ବିଭାଗ ଜରୁରୀକାଳୀନ ସେବା ତାଲିକାଭୁକ୍ତ ଥିଲା । ଡାକ ବିଭାଗ ବିନା ଚିଠି ଆଦାନ ପ୍ରଦାନ ଅସମ୍ଭବ ଥିଲା । ଦୂରସ୍ଥାନରେ ବସବାସ କରୁଥିବା ପରିଜନଙ୍କ ନିକଟକୁ ଖବର ପଠାଇବାର ଏକମାତ୍ର ମାଧ୍ୟମ ଡାକ ବ୍ୟବସ୍ଥା ।
କୁହାଯାଏ, ଖ୍ରୀଷ୍ଟପୂର୍ବ ୫୦୦ ମସିହାରେ ପର୍ସିଆ ରାଜବଂଶ ଡାକ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ । ରାଣୀ ଆଟୋସା ପ୍ରଥମ ଚିଠି ଲେଖିଥିବା ବିଷୟ ଇତିହାସରେ ଲିପିବଦ୍ଧ ରହିଛି । ସେତେବେଳେ ମହାରାଣୀ ଆଟୋସାଙ୍କ ବୟସ ମାତ୍ର ୨୮ ବର୍ଷ । ଆଟୋସା ହେଉଛନ୍ତି ରାଜା ସାଇରସଙ୍କ ବଡ଼ ଝିଅ ।
ଯୋଗ୍ୟ ବାପାଙ୍କ ପୁତ୍ରୀ ଭାବେ ସିଂହାସନ ଆରୋହଣ କରିବା ପରେ ତାଙ୍କର ପ୍ରତିଭାକୁ ସାରା ବିଶ୍ୱ ଜାଣିବାକୁ ପାଇଥିଲା ।
ଚିଠିପତ୍ର ଜରିଆରେ ସେ ବହୁ ଦେଶ ସହିତ ମିତ୍ରତା କରିଥିଲେ । ଦେଶର ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସମୃଦ୍ଧ କରିଥିଲେ ।