ନୀଳମାଧବ ପୀଠ ପାଇଁ ୧୦୦ କୋଟି

କଣ୍ଟିଲୋ ନୀଳମାଧବ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର…..

ଭୁବନେଶ୍ୱର: କଣ୍ଟିଲୋ ନୀଳମାଧବ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ବିକାଶ କାମ ୧୮ ମାସରେ ଶେଷ ହେବ । ମନ୍ଦିରର ପୁନରୁଦ୍ଧାର, ଦର୍ଶନ ସହ ପରିକ୍ରମା ବ୍ୟବସ୍ଥା ମଧ୍ୟ କରାଯିବ । ସେହିପରି ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟକରଣ ଓ ଚତୁଃପାରଶ୍ୱର୍ ରାସ୍ତା ଉନ୍ନତୀକରଣ ହେବା ସହ ଯାତ୍ରୀଙ୍କ ଜିନିଷ ରଖିବାକୁ ମଧ୍ୟ ବ୍ୟବସ୍ଥା ହେବ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ ।ନୀଳମାଧବ ପୀଚକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଦର୍ଶନ ସହ ପରିକ୍ରମା, ଚନ୍ଦନ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ୱ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ ସହିତ ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ନୟାଗଡ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।