ପର୍ଯ୍ୟଟକଙ୍କୁ ଆକ୍ରମଣ କରି ୩ ଗିରଫ

ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ…

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଏହି ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣ ହେଲେ ସନ୍ତୋଷ କୁମାର ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ସୂଚନାଯୋଗ୍ୟ ଯେ, ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ ।

ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡିଥିବା ସଫାରୀ କର୍ମଚାରୀ ସେମାନଙ୍କୁ ଠେଲାପେଲା କରିଥିଲେ । ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ । ସେମାନେ ମିଳିତ ଭାବେ ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଉପାଡ଼ି ପର୍ଯ୍ୟଟକଙ୍କୁ ମାଡପିଟ କରିଥିଲେ । ଏହି ଘଟଣା ନେଇ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେିହପରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।