ଅନଧିକାର ଶ୍ରୀମନ୍ଦିର ପ୍ରବେଶ କରି ୪ ANM ନିଲମ୍ବିତ-shaksi news


ପୁରୀ (ଏସ୍ ନ୍ୟୁଜ ): ଅନଧିକାର ଶ୍ରୀମନ୍ଦିର ପ୍ରବେଶ କରି ନିଲମ୍ବିତ ହୋଇଛନ୍ତି ୪ ANM । ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟି ପାଇଁ ନିର୍ଦ୍ଦେଶ ରହିଥିଲା କିନ୍ତୁ ଭିତରକୁ ପ୍ରବେଶ ନିମନ୍ତେ ନ ଥିଲା। ଏହାସତ୍ତ୍ୱେ ବିନା ଅନୁମତିରେ ଶ୍ରୀମନ୍ଦିର ଭିତରକୁ ଯାଇଥିବାରୁ ସଂପୃକ୍ତ ୪ ଏନଏନ୍ଏମ୍‌ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ କରିଛନ୍ତି ।

ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ଭକ୍ତଙ୍କ ଥର୍ମାଲ ଚେକିଂ ଦାୟିତ୍ୱରେ ଏହି ANMମାନେ ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ପାଇଥିଲେ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେମାନଙ୍କ ନିକଟରେ କୌଣସି ଅନୁମତି ନଥିଲେ ବି ସେମାନେ ମନ୍ଦିର ଭିତରକୁ ଯାଇଥିଲେ। ତେଣୁ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି CDMO।

ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା। ଏହା ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ଅନୁମତି ମିଳିଛି ଦର୍ଶନ ପାଇଁ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଥିଲା । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଜାରି କରାଯାଇଥିଲା ।

ସେପଟେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।