ସମ୍ବଲପୁର(ଏସ୍ ନ୍ୟୁଜ): ଏବେ ମୋଟ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ହିରାକୁଦ ଜଳଭଣ୍ଡାରର ବଢ଼ି ପାଣି। ଉପରମୁଣ୍ଡରେ ବର୍ଷାଯୋଗୁଁ ଜଳସ୍ତର ବଢ଼ିବାରୁ ଆଜି ଆଉ ୪ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।
ମିଳିଥିବା ଖବର ମୁତାବାକ ଡ୍ୟାମ୍କୁ ଯେଉଁ ପରିମାଣରେ ଜଳ ପ୍ରବେଶ କରୁଛି, ଏହାର ଅଧ ପରିମାଣରେ ଜଳ ନିଷ୍କାସନ କରାଯାଉଛି। ତଳ ମୁଣ୍ଡରେ ମହାନଦୀ ଫୁଲିବା ଆଶଙ୍କା ରହିଥିବାରୁ ଏପରି କରାଯାଇଛି। ଡ୍ୟାମ୍କୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୨୪ ହଜାର କ୍ୟୁସେକ୍ ଜଳ ପବେଶ କରୁଥିବା ବେଳେ ଡ୍ୟାମ୍ରୁ ୨ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୧ ଫୁଟ ଉଚ୍ଚରେ ଜଳସ୍ତର ରହିଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ଉପୁଜିଛି। ମହାନଦୀର ବରମୂଳ ଠାରେ ୬.୮୩ ଲକ୍ଷ, ମୁଣ୍ଡଳିରେ ୭.୬୦ ଲକ୍ଷ କ୍ୟୁସେକ ଲେଖାଁଏ ବନ୍ୟାଜଳ ଏବେ ପ୍ରବାହିତ ହେଉଛି।