କରୋନା ପ୍ରଭାବ: ୨.୩୫ ଲକ୍ଷ କୋଟିର ଜିଏସଟି ହରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୧ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଏସଟି ସହାୟତା ପ୍ରଦାନ ନେଇ ବିଭିନ୍ନ ରାଜ୍ୟ ସରକାର ଦାବି କରିଥିବା ବେଳେ ଚଳିତ ବର୍ଷ କରୋନା ପ୍ରଭାବରୁ ୨.୩୫ ଲକ୍ଷ କୋଟିର ଜିଏସଟି ବ୍ୟବଧାନ ସୃଷ୍ଟି ହୋଇଥିବା କେନ୍ଦ୍ର ଅର୍ଥ ସଚିବ କହିଛନ୍ତି।

ଅର୍ଥ ସଚିବ ଅଜୟ ଭୁଷଣ ପାଣ୍ଡେ ଏହା ମଧ୍ୟ କହିଛନ୍ତି ଯେ ମହାମାରୀ ଯୋଗୁଁ ଜିଏସ୍ଟି ଲାଗୁ ହେତୁ କ୍ଷତିର ପରିମାଣ ୯୭ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବୈଠକରେ ଏଜିଙ୍କର ସ୍ପଷ୍ଟ ମତ ଥିଲା ଯେ ଭାରତର ଏକତ୍ରିତ ପାଣ୍ଠିରୁ କ୍ଷତିପୂରଣ ବ୍ୟବଧାନ ପୂରଣ ହୋଇପାରିବ ନାହିଁ। ଏଣୁ ବିକଳ୍ପ ଭାବେ ରାଜ୍ୟମାନଙ୍କୁ ଏକ ସ୍ୱତନ୍ତ୍ର ୱିଣ୍ଡୋ ଯୋଗାଯିବ। ଆରବିଆଇ ସହିତ ପରାମର୍ଶ କରି ୯୭ ହଜାର କୋଟି ଟଙ୍କା ସୁଧ ହାରରେ ପ୍ରଦାନ କରିବା ବ୍ୟବସ୍ଥା ହେବ ବୋଲି ଅର୍ଥ ସଚିବ ପାଣ୍ଡେ ଜଣାଇଛନ୍ତି।

ସେ କହିଛନ୍ତି ଯେ ୨୦୧୯-୨୦ରେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ମୋଟ ୧.୬୫ ଲକ୍ଷ କୋଟି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ହେଲେ ଚଳିତ ବର୍ଷ ଏପ୍ରିଲ-ଜୁଲାଇ ମଧ୍ୟରେ ରାଜ୍ୟମାନଙ୍କୁ ମୋଟ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି କାରଣ କରୋନା କାରଣରୁ ଜିଏସଟି ଆଦାୟ ହୋଇପାରିନାହିଁ।

ଏପଟେ ଚଳିତ ବର୍ଷ ୨.୩୫ ଲକ୍ଷ କୋଟିର ସମ୍ପୂର୍ଣ୍ଣ ଜିଏସଟି କ୍ଷତିପୂରଣ ବ୍ୟବଧାନ ରାଜ୍ୟଗୁଡିକ ସାହାଯ୍ୟରେ ପୂରଣ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ମତ ଦେଇଛନ୍ତି। FRBM ଅଧିନିୟମ ଅନୁଯାୟୀ ରାଜ୍ୟଗୁଡିକର ଟଙ୍କା ଉଦ୍ଧାର ସୀମାରେ ସରକାର ୦.୫% ଅଧିକ ଛାଡ଼ ପ୍ରଦାନ କରିବେ କେନ୍ଦ୍ର ସରକାର। ଏପରିକି ଆଶା କରାଯାଉଥିବା କ୍ଷତିପୂରଣଠାରୁ ଅଧିକ ରାଜ୍ୟମାନେ ଅଧିକ ଋଣ ନେଇପାରିବେ। ସମସ୍ତ ବିକଳ୍ପ ଗୁଡିକ ୭ ଦିନ ମଧ୍ୟରେ ରାଜ୍ୟମାନଙ୍କ ଅବଗତି ନିମନ୍ତେ ପଠାଯିବ ବୋଲି ଏହି ଅବସରରରେ ଅର୍ଥ ସଚିବ କହିଛନ୍ତି।