ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ବୌଦ୍ଧ(ଏସ୍ ନ୍ୟୁଜ): ପୁରୁଣାକଟକ ଥାନା ବୁରୁଗୁଡ଼ା ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝରଣାକୁ ଗାଧୋଇବାକୁ ଯାଇ ଏକ ୫ ବର୍ଷର ଶିଶୁ ପୁତ୍ର ପଥର ସନ୍ଧିରେ ଫଶିଯାଇଥିଲା। ଦୀର୍ଘ ୩ ଘଣ୍ଟାର ଅପରେସନ୍ ପରେ ତାକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ।

ସୂଚନାଯୋଗ୍ୟ, ବୁରୁଗୁଡ଼ାର ନିଳମଣୀ ନାୟକ ଆଜି ସକାଳେ ଗାଁ ପାଖ ଝରଣାକୁ ସାଙ୍ଗ ପିଲାଙ୍କ ସହ ଗୋଧୋଇବା ପାଇଁ ଯାଇଥିଲେ। ତେବେ ଖେଳକୁଦ ଭିତରେ ତାଙ୍କ ଗୋଡ଼ ଏକ ପଥର ସନ୍ଧିରେ ଫଶିଯାଇଥିଲା। ନାନାଦି ପ୍ରୟାସ କରି ମଧ୍ୟ ଗାଁ ଲୋକେ ତାଙ୍କୁ ସେଠାରୁ ମୁକୁଳାଇବାରେ ବିଫଳ ହୋଇଥିଲେ। ଶେଷରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ପହଞ୍ଚିଥିଲେ।

ନିଳମଣୀଙ୍କର ବେକ କେବଳ ବାହାରକୁ ଦେଖାଯାଉଥିବା ବେଳେ ଶରୀର ପାଣିରେ ବୁଡ଼ି ରହିଥିଲା। ଏ ଅବସ୍ଥାରେ ୨ ଘଣ୍ଟାରୁ ଅଧିକ ସମୟ ଧରି ନାକେଦମ ହୋଇଥିଲେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ। ଶେଷରେ ବହୁ ଚେଷ୍ଟା ଏବଂ କୌଶଳ ଆପଣେଇ ପ୍ରାୟ ତିନି ଘଣ୍ଟାର ଅପରେସନ୍ ପରେ ପିଲାଟିକୁ ଉଦ୍ଧାର କରାଯାଇଛି।