ଏଣିକି ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ମିଳିବ ୫ ହଜାର ପୁରସ୍କାର

ଭୁବନେଶ୍ୱର:ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କାର ପୁରସ୍କାର ରାଶି । ଅଧିକାଂଶ ସମୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି ନ କରିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥାଏ । ଏଭଳି ସ୍ଥିତିରେ ଅନେକ ଲୋକ ଅଯଥାରେ ଝାମେଲାରେ ନ ପଶିବାକୁ ଶ୍ରେୟସ୍କର ମଣିଥାନ୍ତି । ଫଳରେ ଦୁର୍ଘଟଣାଗ୍ରସ୍ତଙ୍କ ଅବସ୍ଥା ଗୁରୁତର ହେବା ସହ ମୃତ୍ୟୁ ମଧ୍ୟ ଘଟିଥାଏ । ତେଣୁ ମୃତ୍ୟୁହାରକୁ ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଉଦ୍ଧାରକାରୀଙ୍କୁ ଚିହ୍ନଟ କରିବା ଓ ପୁରସ୍କୃତ କରିବା ପାଇଁ ଜିଲ୍ଲାସ୍ତରରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ ସାମିଲ ରହିଛନ୍ତି । ଏହି କମିଟି ଉଦ୍ଧାରକାରୀଙ୍କ ସମ୍ପର୍କରେ ଏକ ରିପୋର୍ଟ ମାସେ ମଧ୍ୟରେ ରାଜ୍ୟ ପରିବହନ କମିଶନରଙ୍କୁ ପଠାଇବ । ଗତ ୧୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏ ସଂପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଏସପି, ସିଡିଏମ ଓ ଆରଟିଓମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।