ଡାକ୍ତରଙ୍କ ଅବହେଳାରୁ ଚାଲିଗଲା କୁନି ଝିଅର ଜୀବନ!

ଟିଟିଲାଗଡ଼ (ଏସ୍ ନ୍ୟୁଜ): ଟିଟିଲାଗଡ଼ ମୁରିବାହାଲ ବ୍ଲକ ଲେବଡା ଗାଁର ରୋହିତ ବାରିକଙ୍କ ବର୍ଷକର ଝିଅକୁ ଜ୍ୱର ହୋଇଥିଲା। ରୋହିତ ଓ ତାଙ୍କ ପତ୍ନୀ ଝିଅକୁ ଟିଟିଲାଗଡ଼ ଉପଖଣ୍ଡ ମେଡିକାଲକୁ ନେଇଥିଲେ। ମେଡିକାଲର ଆଉଟ୍‌ଡୋରରେ କାର୍ଯ୍ୟରତ ଡାକ୍ତର ଝିଅକୁ ଦେଖିବା ସହିତ ଇଞ୍ଜେକ୍‌ସନ୍‌ ଦେଇଥିଲେ। ମେଡିକାଲ୍‌ରେ ଶିଶୁ ବିଶେଷଜ୍ଞ ନଥିବାରୁ ପ୍ରାଇଭେଟ କ୍ଲିନିକକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।ଡାକ୍ତରଙ୍କ ପରାମର୍ଶ କ୍ରମେ ରୋହିତ ଓ ତାଙ୍କ ପତ୍ନୀ ଝିଅକୁ ପ୍ରାଇଭେଟ କ୍ଲିନିକ୍‌କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ରେ ଉତ୍ତେଜନା ଦେଖାଦେଇଥିଲା ଓ ଉତ୍ତ୍ୟକ୍ତ ଲୋକେ ରାୟପୁର-ଗୋପାଳପୁର ରାଜପଥ ଅବରୋଧ କରିଥିଲେ।। ମେଡିକାଲ୍‌ ଆଗରେ ଝିଅର ପରିବାର ଲୋକେ ମୃତଦେହ ରଖି ଧାରଣା ବସିଥିଲେ।

ପରେ ଖବର ପାଇ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପଂହଁଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଓ ଚିକିତ୍ସା ଅବହେଳାରୁ ବର୍ଷକର ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଲୋକମାନେ ଭୁଲ୍‌ ଇଞ୍ଜେକସନ୍‌ ଦେଇଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।