ସବୁ ନାଟର ଗୋବର୍ଦ୍ଧନ ପ୍ରତିଷ୍ଠିତ ରାଜନୈତିକ ଦଳ

ପିଟାପିଟି ରାଜନୀତି ଛାଡୁ ଛାତ୍ର ସଂଗଠନ

ଭୁବନେଶ୍ୱର: ‘ନା ରହିବ ବାଉଁଶ ନା ବାଜିବ ବଂଇଶୀ’ । କଲେଜ ସ୍ତରରୁ ଛାତ୍ରମାନଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟ ନେଇ ରାଜନୈତିକ ଦଳଗୁଡ଼ିକ ଗଠନ କରିଥିବା ଛାତ୍ର ସଂଗଠନଗୁଡ଼ିକ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । କଥା କଥାକେ ପିଟାପିଟି ଓ ଲହୁଲୁହାଣ ଭଳି କାଣ୍ଡ ଘଟାଉଛନ୍ତି । ଛାତ୍ର ସଂଗଠନର ଏଭଳି ଆଭିମୁଖ୍ୟ ପଛରେ ରାଜନୈତିକ ଦଳଗୁଡ଼ିକର ପ୍ରଚ୍ଛନ୍ନ ସମର୍ଥନ ରହୁନାହିଁ ତ?

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଅଲ୍‌ ଇଣ୍ଡିଆ ଷ୍ଟୁଡେଂଟସ୍‌ ଫେଡେ଼ରେସନ୍‌, ଛାତ୍ର କଂଗ୍ରେସ, ବିଜୁ ଛାତ୍ର ସଂଗଠନ ଭଳି ଛାତ୍ର ସଂଗଠନ ତିଆରି କରାଯିବା ପଛରେ ଗୂଢ଼ ରହସ୍ୟ କ’ଣ? ସରକାର ପ୍ରଥମେ ତାହା ସ୍ପଷ୍ଟ କରିବା ଦରକାର । କଲେଜରେ ଏକ ନିର୍ବାଚିତ ଛାତ୍ର ସଂସଦ ରହିବା ଦରକାର କେଉଁ ଦୃଷ୍ଟିରୁ? କଥା କଥାକେ ହାତ ଉଠାଇବା, ଚେୟାର ଟେବୁଲ ଭାଙ୍ଗିବା, ଅଧ୍ୟାପକ, ଅଧ୍ୟାପିକା ଓ ଅତିଥି ପ୍ରଫେସରଙ୍କୁ ଆକ୍ରମଣ କରିବା ପାଇଁ ଛାତ୍ର ସଂଗଠନକୁ ଅଧିକାର ଦିଆଯାଇଛି କି? ଏସବୁକୁ ତୀକ୍ଷ୍ଣ ଭାବରେ ବିଚାର କରି ସରକାର ସବୁ ଛାତ୍ର ସଂଗଠନକୁ ବେଆଇନ୍‌ ଘୋଷଣା କରନ୍ତୁ ।

ରାଜ୍ୟର ବହୁ କଲେଜରେ ଆବଶ୍ୟକ ପରିମାଣର ଅଧ୍ୟାପକ ଅଧ୍ୟାପିକା ନାହାନ୍ତି । ପରୀକ୍ଷା ପୂର୍ବରୁ ସିଲାବସ ମୁତାବକ ପାଠ୍ୟକ୍ରମ ଶେଷ ହେଉନି । ଗରିବ ପିଲାମାନେ କୋଚିଂକୁ ଯାଇ ନପାରି ପରୀକ୍ଷାରେ ବସିବାକୁ ଡରୁଛନ୍ତି । କଲେଜ ଲାଇବ୍ରେରୀ ପାଇଁ ପ୍ରତିବର୍ଷ ବହି କିଣୁନାହାନ୍ତି କଲେଜ ପରିଚାଳନା କମିଟି । କଲେଜରେ ଆବଶ୍ୟକ ପରିମାଣର କ୍ରୀଡ଼ା ଭିତିଭୂମି ନାହିଁ । ସବୁ କଲେଜରେ ନାନା ଅନିୟମିତତା ଚାଲିଛି । ସବୁ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ସେଭଳି ସମସ୍ୟା ଦୂରୀକରଣ ପାଇଁ ଯଥାସାଧ୍ୟ ଉଦ୍ୟମ କରି କଲେଜର ଶିକ୍ଷା ବାତାବରଣକୁ ସୁଦୃଢ଼ କରିବା ଦରକାର । ସେଭଳି ଗଠନମୂଳକ ରାଜନୀତିକୁ ଛାଡ଼ି ସବୁ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ସଂକୀର୍ଣ୍ଣ ରାଜନୀତିକୁ ଆଦରି ପରସ୍ପରକୁ କାଦୁଅ ଫିଙ୍ଗିବା ଅତ୍ୟନ୍ତ ଅଶୋଭନୀୟ ।

ରାଜନୈତିକ ଦଳଗୁଡ଼ିକ କ’ଣ ଏହି ଆଦର୍ଶକୁ ପ୍ରାଥମିକତା ଦେଇ ଛାତ୍ର ସଂଗଠନ ତିଆରି କରିଛନ୍ତି । ରାଜ୍ୟରେ ଚକାଜାମ କରିବାର ଅଛି ତ ଛାତ୍ର ସଂଗଠନକୁ ଟଙ୍କା ଦେଇ ରାଜପଥ ଉପରେ ଟାୟାର ଜାଳିବାକୁ ପ୍ରୋତ୍ସାହନ ଦିଆଯାଉଛି । ବିଶ୍ୱବିଦ୍ୟାଳୟରେ ଶିକ୍ଷାଭିତିକ ଆଲୋଚନାରେ ଜଣେ ଅତିଥି ପ୍ରଫେସରକୁ ମାଡ଼ ମାରି ଲହୁଲୁହାଣ କରି ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ତା’ର ପୌରୁଷତ୍ୱର ପରିଚୟ ଦେଇଛି ।

ଶ୍ରୀମଦ୍‌ ଭଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି, କେହି ଯଦି ନିଜକୁ ମହାଜ୍ଞାନୀ ବୋଲାଏ, ଧରିନେବାକୁ ହେବ ସଂପୃକ୍ତ ବ୍ୟକ୍ତିଙ୍କର ବୁଦ୍ଧି ଉଦୟ ହୋଇନି । କାରଣ ଜ୍ଞାନର କୌଣସି ସୀମା ନାହିଁ । ମଣିଷ ଯେତେ ଜ୍ଞାନ ଆହରଣ କଲେ ମଧ୍ୟ ତାହା ସରେନାହିଁ । ଶିକ୍ଷା ସମାପ୍ତ ନକରି ନିଜକୁ ମହାଜ୍ଞାନୀ ବୋଲାଇବା କେତେ ଦୂର ଠିକ୍‌ । ଶ୍ରୀକୃଷ୍ଣଙ୍କ ଉକ୍ତ ବାଣୀକୁ ଆଧାର କରି ବିଚାର କଲେ, ପ୍ରଫେସର ମଜୁମଦାରଙ୍କ ଅଭିବ୍ୟକ୍ତିକୁ ଠିକ୍‌ ଭାବେ ବିଚାର କରିବାର ଶକ୍ତି ଏବିଭିପି ନିକଟରେ ନାହିଁ । ସଂକୀର୍ଣ୍ଣ ଜ୍ଞାନକୁ ଆଧାର କରି ପ୍ରଫେସରଙ୍କ ଅଭିଭାଷଣକୁ ରାଷ୍ଟ୍ରବିରୋଧୀ ଅବା ହିନ୍ଦୁବିରୋଧୀ କହି ଏବିଭିପି ଅଯଥାରେ ଶିକ୍ଷା ପରିସରକୁ କଳୁଷିତ କରୁଛି । ପ୍ରଫେସରଙ୍କ ଅଭିଭାଷଣକୁ ପ୍ରତିବାଦ କରି ଏବିଭିପି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିପାରିଥାନ୍ତା; ମାତ୍ର ପ୍ରଫେସରଙ୍କ ଉପରକୁ ହାତ ଉଠାଇବା ଆଦୌ ଗ୍ରହଣୀୟ ନୁହେଁ ।