ପୁଲିସକୁ ସାବାଡ୍‌ କରିବାର ସମୟ ଆସିଗଲା

ଇଂରେଜ ଶାସନ ଆଜି ମଧ୍ୟ ଭାରତର ପ୍ରଶାସନିକ …

ଭୁବନେଶ୍ୱର: ଇଂରେଜ ସରକାର ଚାଲିଗଲା । ମାତ୍ର ଇଂରେଜ ଶାସନ ଆଜି ମଧ୍ୟ ଭାରତର ପ୍ରଶାସନିକ ମହଲକୁ ଆଚ୍ଛନ୍ନ କରିରଖିଛି । ସମ୍ବିଧାନ ସବୁ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ ଅଧିକାରୀଙ୍କୁ ଲୋକସେବକ ଭାବେ ଅଭିହିତ କରିଛି ସିନା; ମାତ୍ର ତା’ର ବାସ୍ତବିକତା ଇଂରେଜ ହାକିମଙ୍କ ଷ୍ଟାଇଲରେ ଚାଲିଛି । ଜିଲ୍ଲାପାଳ ନିଜକୁ ଲୋକମାନଙ୍କର ଭାଗ୍ୟ ବିଧାତା ସାଜିଛନ୍ତି । ପୁଲିସ ଅଧୀକ୍ଷକ ନିଜକୁ ଲୋକମାନଙ୍କର ମାଲିକ ଭାବୁଛନ୍ତି । ଥାନା ଅଧିକାରୀ ନିଜକୁ ବାଦଶାହା ମଣୁଛନ୍ତି । ପୁଲିସ କର୍ମଚାରୀମାନେ ରାଜ୍ୟର ଖଟିଖିଆ ଜନତାଙ୍କୁ ଗୋଲାମ ଭାବୁଛନ୍ତି । ପେସାଦାର ଅପରାଧୀଙ୍କୁ ଥାନାରେ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରାଯାଉଛି । ମାତ୍ର ଛୋଟ ଘଟଣାରେ ଧରାପଡ଼ି ଥାନାକୁ ଯାଇଥିବା ଅଭିଯୁକ୍ତକୁ ଥାର୍ଡ ଡିଗ୍ରୀ ବ୍ୟବହାର କରାଯାଉଛି । ନିକଟରେ ଜଣେ ପୁଲିସ କର୍ମଚାରୀ ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କଲା । କେନ୍ଦୁଝରରେ ଜଣେ ହତ୍ୟା ଅଭିଯୁକ୍ତକୁ ଥାନା ହାଜତରେ ମାରି ଦିଆଗଲା ।

ଏବେ ପାଲଲହଡ଼ା ଥାନାରେ ପୁଲିସର ବର୍ବରତା ସାମ୍ନାକୁ ଆସିଛି । ଘଟଣାରେ ପାଲଲହଡ଼ା ଥାନା ସବ୍‌ ଇନ୍ସପେକ୍ଟର ଗୋବିନ୍ଦ ସାହୁ, କନ୍‌ଷ୍ଟେବଲ ଚନ୍ଦନ ମିଶ୍ର ଓ ହୋମଗାଡର଼୍ ସୌଭାଗ୍ୟ କମଳ ବିରୋଧରେ ମାମଲା ରୁଜୁ କରାଯାଇଛି । ପୁଲିସ ନିର୍ଯାତନାର ଶିକାର ହୋଇଛନ୍ତି ଖମାର ଥାନା ଜଗନ୍ନାଥପୁର ନିବାସୀ ଆଦିତ୍ୟ ବେହେରା ।

ଯୋଉଦିନଠାରୁ ପୁଲିସକୁ ଅଖଣ୍ଡ କ୍ଷମତାର ଅଧିକାରୀ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ଦିନଠାରୁ ପୁଲିସର ଅମାନବିକ ଆଚରଣ ବୃଦ୍ଧି ପାଇବାକୁ ଲାଗିଛି । ପୁଲିସ ବଳରେ ବିରୋଧୀ ଦଳ ବେକରେ ଲଗାମ ଟାଣି ଶାସନ କରିବାର ଯୋଜନା କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବୁମେରାଂ ସାଜିଛି । ଏତିକିବେଳୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସାବଧାନ ହୋଇଯାଆନ୍ତୁ ନଚେତ୍‌ ଆଗାମୀ ଦିନରେ ରାଜ୍ୟର ଦୁଇକୋଟି ଭୋଟର ସେମାନଙ୍କ ସାମ୍ବିଧାନିକ ଅଧିକାର ବଳରେ ବିଜେଡିକୁ କ୍ଷମତାଚ୍ୟୁତ କରିବେ । ୨ କୋଟି ଜନତା ରାସ୍ତାକୁ ଓହ୍ଲାଇ ପୁଲିସଠାରୁ ଠେଙ୍ଗା ଛଡ଼ାଇ ପୁଲିସକୁ ପ୍ରବଳ ମାଡ଼ ମାରି ସାବାଡ଼ କରିବେ ।