ଅଚଳ ପ୍ରକଳ୍ପ ପାଇଁ ଜରିମାନା ପଇଠ କରିବେ ବିଏମ୍‌ସି କମିଶନର ଓ ମେୟର!

ପଲିଥିନରେ ଅଳିଆ ଦେଲେ ବିଏମ୍‌ସିକୁ ବାଧୁଛି …

ଭୁବନେଶ୍ୱର: ପଲିଥିନରେ ଅଳିଆ ଦେଲେ ବିଏମ୍‌ସିକୁ ବାଧୁଛି; ତେଣୁ ସଫେଇ ଗାଡ଼ିର କର୍ମଚାରୀମାନେ ଲୋକଙ୍କଠାରୁ ଜରିମାନା ଆଦାୟ କରିବା ପାଇଁ ଧମକ ଦେଲେଣି । ମାତ୍ର ଲୋକଙ୍କ ଟିକସ ଟଙ୍କାରେ ତିଆରି କରାଯାଇଥିବା ଶୌଚାଳୟ ଲୋକଙ୍କ କାମରେ ଲାଗୁନି; ସେଥିପାଇଁ ବିଏମ୍‌ସି କମିଶନର ଓ ମେୟର ଜରିମାନା ପଇଠ କରିବେ ତ? ଲୋକଙ୍କଠାରୁ ଜରିମାନା ଆଦାୟ କରିବା ପାଇଁ ବିଏମ୍‌ସି ନାନା ବାହାନା କରିପାରୁଛି । କିନ୍ତୁ ଲୋକଙ୍କ ଟଙ୍କାକୁ ଅଯଥା ଖର୍ଚ୍ଚ କରିବା ଅଭିଯୋଗରେ ମେୟର ଓ କମିଶନରଙ୍କଠାରୁ ଜରିମାନା ଆଦାୟ କରିବା ପାଇଁ ରାଜଧାନୀ ବାସିନ୍ଦା ଏକଜୁଟ ହେଉଛନ୍ତି ।

ଭୁବନେଶ୍ୱର ବାସିନ୍ଦାଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବ ସ୍ମାର୍ଟସିଟି ଅଧିକାର ମଂଚ । ଏଥିପାଇଁ ପ୍ରତି ୱାର୍ଡରୁ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କୁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ବିଏମ୍‌ସିର ୪୫ ନମ୍ବର ୱାର୍ଡର ବଡ଼ଗଡ଼ ଛକରେ ୫ ବର୍ଷ ତଳେ ନିର୍ମିତ ଶୌଚାଳୟ ଏବେ ଭୂତକୋଠି ପାଲଟିଛି ବୋଲି ଦୈନିକ ସମ୍ବାଦ ପ୍ରକାଶ କରିଛି । ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଶୌଚାଳୟ ଏବେ କାହା କାମରେ ଲାଗୁନି । ବିଏମ୍‌ସିର ଦୂରଦୃଷ୍ଟି ଅଭାବରୁ ଏକ ଲୋକାଭିମୁଖୀ ପ୍ରକଳ୍ପଟି ଅଚଳ ହୋଇ ପଡ଼ିରହିଛି । ଉକ୍ତ ପ୍ରକଳ୍ପ ବାବଦ ଟଙ୍କା ଏବେ ପାଣିରେ ପଡ଼ିଛି ବୋଲି ସ୍ମାର୍ଟସିଟି ଅଧିକାର ମଂଚ ଅନୁଭବ କରୁଛି । ତେଣୁ ସେ ବାବଦକୁ ବିଏମ୍‌ସି ମେୟର ଓ କମିଶନରଙ୍କ ଦରମାରୁ ପ୍ରକଳ୍ପ ବାବଦ ଅର୍ଥ ଆଦାୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଯିବ । ୨୦୧୭ ଜୁଲାଇ ୨୦ ତାରିଖରେ ଉଦ୍‌ଘାଟନ କରାଯାଇଥିବା ଉକ୍ତ ଶୌଚାଳୟ ନିର୍ମାଣ ପାଇଁ ରାଜକୋଷରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।