ଟିକାକରଣ ନେଇ ମୋଦୀଙ୍କ ସର୍ବଦଳୀୟ ବୈଠକ,ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଦାବି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଦଳର ନେତାଙ୍କ ସହ ଦେଶର କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ମୋଦୀ ଆଲୋଚନା କରିଛନ୍ତି। ଏହି ବୈଠକରେ କୋଭିଡ ଟୀକାକରଣ ଆଲୋଚନା ହୋଇଛି। ସଂସଦର ବିଭିନ୍ନ ଦଳର ଫ୍ଲୋର ସଦସ୍ୟ ମାନଙ୍କୁ ଏହି ଭର୍ଚୁଆଲ୍ ସର୍ବଦଳୀୟ ବୈଠକରେ ଆମନ୍ତ୍ରଣ କରାଯାଇଛି।

ଏହି ବୈଠକ ରାହୁଲ ଗାନ୍ଧୀ ଆଶା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସ୍ପଷ୍ଟ କରିବେ ଯେ ପ୍ରତ୍ୟେକ ଭାରତୀୟ କେବେ ମାଗଣା କୋଭିଡ୍ ଟୀକା ପାଇବେ। ଏନେଇ ସେ ଟୁଇଟ୍ କରି କହିଛନ୍ତି ଯେ, “ଆଜିର ସର୍ବଦଳୀୟ ବୈଠକରେ ଆମେ ଆଶା କରୁଛୁ ଯେ ପ୍ରତ୍ୟେକ ଭାରତୀୟ କେବେ ମାଗଣା କୋଭିଡ୍ ଟିକା ପାଇବେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିବେ” ।

ସେପଟେ ଖୁବଶୀଘ୍ର କୋଭିଡ ଟିକା ଆସିବା ନେଇ ସଙ୍କେତ ମିଳିଛି । ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି କରିଛି । ଏନେଇ ସର୍ବଦଳୀୟ ବୈଠକରେ ସାଂସଦ ଚନ୍ଦ୍ରଶେଖର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଟିକା କେମିତି ଆଗ ଓଡିଶା ପାଇବ, ତାହା ଉପରେ ଫୋକସ୍ କରାଯିବ । ସର୍ବଦଳୀୟ ବୈଠକରେ ଓଡିଶା ୨ଟି ପ୍ରସ୍ତାବ ରଖିଛି । ତୃଣମୂଳ ସ୍ତରରୁ ଡାଟା ବେସ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି ।’ ତେବେ କୋଭିଡ ମୁକାବିଲା ପାଇଁ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।