ମହିଳା ନିର୍ଯାତନା ସହର ‘ଆମ ଭୁବନେଶ୍ୱର’

ପୁଲିସ ଚାପରେ ଚୁପ ରହୁଛନ୍ତି ଅଧିକାଂଶ ପୀଡ଼ିତା…..

ଭୁବନେଶ୍ୱର: ଭୁବନେଶ୍ୱର ଆଉ କେବଳ ଓଡିଶାର ରାଜଧାନୀ ହୋଇରହିନାହିଁ । ପୁଲିସ କମିଶନରେଟ୍‌ ସୂତ୍ରରୁ ଯୌତୁକ ନିର୍ଯାତନା ମାମଲା ପ୍ରକାଶ ପାଇବା ପରେ ଭୁବନେଶ୍ୱର ଏବେ ମହିଳା ନିର୍ଯାତନାର ସହର ପରିଚୟ ପାଇଛି । ତଥ୍ୟାନୁସାରେ ଭୁବନେଶ୍ୱରରେ ପ୍ରତି ଦୁଇଦିନରେ ଜଣେ ମହିଳା ନିର୍ଯାତନାର ଶିକାର ହେଉଛନ୍ତି । ଗତ ୮ ମାସ ଭିତରେ ବିଭିନ୍ନ ଥାନାରେ ୧୨୦ରୁ ଅଧିକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି । ପୁଲିସ ଚାପରେ ପଡ଼ି ବହୁ ପୀଡ଼ିତା ଅଭିଯୋଗ କରିବାକୁ ପଛାଇ ଯାଉଥିବାରୁ ମାମଲା ୧୨୦ ପାଖାପାଖି ଅଛି । ନଚେତ ନାରୀ ନିର୍ଯାତନା ମାମଲା ମାସକ୨୦୦ ଟପିବ ବୋଲି ଜଣେ ସାମାଜିକ କର୍ମୀ କହିଛନ୍ତି ।

ଅନେକ କ୍ଷେତ୍ରରେ ପୁଲିସ ‘ଘର କଥା ଘରେ ରଖ; ଥାନାକୁ ଆସିବୁ, ତତେ ବି ଛାଡ଼ିବିନି’ ଧମକ ଦେବାରୁ ଅଧିକାଂଶ ପୀଡ଼ିତା ଜେଲ ଯିବା ଭୟରେ ମାମଲା ରୁଜୁ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଭରତପୁର ବସ୍ତିର ଜଣେ ବିବାହିତା ମହିଳା କହନ୍ତି, ତାଙ୍କ ଶଶୁରଙ୍କ ପରଲୋକ ପରେ ଚାରିଜଣ ଦିଅର ଓ ନଣନ୍ଦ ତାଙ୍କୁ ଘରୁ ଜୋରଜବରଦସ୍ତ ବାହାର କରିଦେଲେ ।

ସେ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କଲେ; ମାତ୍ର ପୁଲିସ ତାଙ୍କୁ ନ୍ୟାୟ ଦେବା ବଦଳରେ ଚାରି ଅଭିଯୁକ୍ତଙ୍କ ମନଗଢ଼ା କାହାଣୀକୁ ବିଶ୍ୱାସ କରି ପୀଡ଼ିତାଙ୍କୁ ଗାଳିଫଜିତ କରି ଥାନାରୁ ତଡ଼ିଦେଲେ । ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତି ବଜାୟ ରଖିବା ପାଇଁ ପୁଲିସ ବହୁ ସଙ୍ଗୀନ ଅଭିଯୋଗକୁ ଦବାଇ ଦେଉଛି ବୋଲି ସଂପୃକ୍ତ ସାମାଜିକ କର୍ମୀ ଦୃଢ଼ତାର ସହ କହିଛନ୍ତି ।

ପୁଲିସ ରୁଜୁ କରିଥିବା ୧୨୦ଟିରୁ ଅଧିକ ଯୌତୁକ ନିର୍ଯାତନା ମାମଲା ଭିତରେ ଜଣେ ବିବାହିତା ମହିଳାଙ୍କୁ ପୋଡ଼ି ମାରି ଦିଆଯିବା ଘଟଣା ରହିଛି । ସାଲିଆସାହିର ତାରିଣୀନଗରରେ ସୋନାଲି ବେହେରା ନାମ୍ନୀ ଜଣେ ୫ ବର୍ଷର ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ପୋଡ଼ି ମାରି ଦେଇଥିଲେ । ସେହିପରି ନୂଆପଲ୍ଲୀ ଅଂଚଳରେ ଜଣେ ଶିଳ୍ପପତିଙ୍କ ବିବାହିତା ଝିଅଙ୍କୁ ଶାଶୁଘର ଲୋକେ ଅକଥନୀୟ ନିର୍ଯାତନା ଦେଇଥିବା ଚହଳ ପକାଇଥିଲା । ଶାଶୁଘର ଲୋକେ ୨ କୋଟି ନଗଦ ଟଙ୍କା, ଏକ କିଲୋ ସୁନା, ୧୦ କିଲୋ ରୂପାଗହଣା ଓ ୫୦ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ପାଇଥିଲେ ମଧ୍ୟ ବୋହୁଙ୍କ ଉପରେ ନିର୍ଯାତନା କରିବାକୁ ପଛାଇ ନଥିଲେ । ଭୁବନେଶ୍ୱର ଭଳି ଶିକ୍ଷିତ ଲୋକଙ୍କ ସହରରେ ଯୌତୁକ ନିର୍ଯାତନା ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।