ଝାଡ଼ାବାନ୍ତିରେ ୫୦ ଆକ୍ରାନ୍ତ

ଝାଡ଼ାବାନ୍ତିରେ ସୁର୍ଜିମୁଣ୍ଡା ଗାଁର ୫୦ ଜଣ ଆକ୍ରାନ୍ତ..

ବଲାଙ୍ଗୀର : ଝାଡ଼ାବାନ୍ତିରେ ସୁର୍ଜିମୁଣ୍ଡା ଗାଁର ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୪ ଦିନ ହେଲା ଏହି ଗାଁର ଜଣଙ୍କ ପରେ ଜଣେ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରନ୍ତ ହେଉଥିଲେ । ହଠାତ ଗାଁର ୨୦ ଜଣଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା । ସମସ୍ତଙ୍କୁ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ଭିତରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଡାଏରିଆ ୱାର୍ଡରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଗାଁରେ ଥିବା ସପ୍ଲାଏ ପାଣିକୁ ପ୍ରଶାସନ ପକ୍ଷରୁ କୌଣସି କାରଣରୁ ବନ୍ଦ କରିଦିଆଯାଇଛି ।

ଯାହା ଫଳରେ ଗାଁ ଲୋକେ ଗତ କିଛି ଦିନ ହେବ ଏକ ଖୋଲା କୂଅର ପାଣି ବ୍ୟବହାର କରୁଛନ୍ତି । ଗାଁରେ ଝାଡ଼ିବାନ୍ତି ବ୍ୟାପିବା ପରେ କୂଅ ପାଣି ଦୂଷିତ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ପାଣି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟରେ ଜଣାଇଥିଲେ ହେଁ କେହି ପଦକ୍ଷେପ ନେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଝାଡ଼ାବାନ୍ତି ବ୍ୟାପୀଥିବା ସତ୍ତେ୍ୱ ଏହି ଗାଁକୁ କୌଣସି ଡାକ୍ତରୀ ଟିମ ମଧ୍ୟ ଯାଇନଥିବା ମଧ୍ୟ ଅଭିଯୋଗ ହେଉଛି ।