‘ଭାରତ ରତ୍ନ’ ଏପିଜେ ଅବଦୁଲ କଲାମ

ଭାରତର ଏକାଦଶତମ ରାଷ୍ଟ୍ରପତି ‘ଭାରତ ରତ୍ନ’ ଡକ୍‌ଟର‌….

ଭାରତର ଏକାଦଶତମ ରାଷ୍ଟ୍ରପତି ‘ଭାରତ ରତ୍ନ’ ଡକ୍‌ଟର‌୍‌ ଏପିଜେ ଅବଦୁଲ କଲାମ (ଜନ୍ମ: ୧୫ ଅକ୍‌ଟୋବର୍‌ ୧୯୩୧; ମୃତ୍ୟୁ: ୨୭ ଜୁଲାଇ ୨୦୧୫)ଙ୍କ ପୂରା ନାମ ଅବୁଲ ପାକିର ଜୈନୁଲଅବଦୀନ ଅବଦୁଲ କଲାମ ମସଊଦୀ। ତମିଳ ନାଡ଼ୁର ରାମେଶ୍ବରମ ଅନ୍ତର୍ଗତ ଧନୁଷକୋଡ଼ୀରେ ଏକ ସାଧାରଣ ମୁସଲମାନ ପରିବାରରେ ଜନ୍ମିତ କଲାମଙ୍କ ପିତା ଜୈନୁଲଅବଦୀନ ନା ଅଧିକ ପଢ଼ିଥିଲେ ନା ପଇସାବାଲା ଥିଲେ। ସେ ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା ଭଡ଼ା ଦେବା ବ୍ୟବସାୟ କରୁଥିଲେ। କଲାମ ସ୍କୁଲ୍‌ରେ ପଢ଼ୁଥିବା ବେଳେ ଖବରକାଗଜ ବିତରଣ ସହ ନାନା ଛୋଟ-ମୋଟ କାମ ଦ୍ବାରା ପରିବାରର ଆର୍ଥିକ ଅବସ୍ଥା ସୁଧାରିବାରେ ପିତାଙ୍କୁ ସାହାଯ୍ୟ କରୁଥିଲେ। ଗଣିତ ଓ ବିଜ୍ଞାନ ତାଙ୍କର ପ୍ରିୟ ଥିଲା। ମାଡ୍ରାସ୍‌ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେ ଏରୋସ୍ପେସ୍‌ ଇ˚ଜିନିଅରି˚ ପଢ଼ିଥିଲେ। ରାଷ୍ଟ୍ରପତି ପଦରେ ବସିବା ପୂର୍ବରୁ କଲାମ ଜଣେ ଏରୋସ୍ପେସ୍‌ ଇ˚ଜିନିଅର‌୍‌ ଭାବେ ‘ଡିଆର‌୍‌ଡିଓ’ ଏବଂ ‘ଇସ୍ରୋ’ରେ କାମ କରିଥିଲେ।

ତାଙ୍କୁ ‘ଭାରତର କ୍ଷେପଣାସ୍ତ୍ର ମଣିଷ’ କହାଯାଏ। ସେ ‘ଅଗ୍ନି’, ‘ପୃଥିବୀ’ ଓ ‘ଆକାଶ’ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ରୂପଦେଇଥିବା, ବିକଶିତ କରିଥିବା ବହୁଳ ଭାବେ ଗ୍ରହଣ କରାଯାଇଥିଲେ ହେଁ ବାସ୍ତବତା ଭିନ୍ନ। ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଏକ ବିଜ୍ଞାନୀ ଦଳ ବିକଶିତ କରାଇଥିଲେ, ଯାହାର ମୁଖ୍ୟ ଥିଲେ କଲାମ। ଡକ୍‌ଟର‌୍‌ ରାମ ନାରାୟଣ ଅଗ୍ରୱାଲ, କର୍ନେଲ୍‌ ଭିଜେ ସୁନ୍ଦରମ ଓ କମାଣ୍ତର‌୍‌ ଏସ୍‌ଆର‌୍‌ ମୋହନ ଯଥାକ୍ରମେ ‘ଅଗ୍ନି’, ‘ପୃଥିବୀ’ ଓ ତ୍ରିଶୂଳ’ କ୍ଷେପଣାସ୍ତ୍ର ବିକଶିତ କରାଇଥିବା, କଲାମ ନିଜର ଆତ୍ମଚରିତରେ ସ୍ବୀକାର କରିଛନ୍ତି। ଏଥିରୁ, ତାଙ୍କ ମହାନତାର ପରିଚୟ ମିଳେ। ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ‘ଭାଲିଆଣ୍ଟ୍‌’ ଓ ‘ଡେଭିଲ୍‌’ କ୍ଷେପଣାସ୍ତ୍ର ପ୍ରକଳ୍ପ ବିଫଳ ହୋଇଥିବାରୁ କଲାମଙ୍କୁ ସମାଲୋଚନା କରାଯାଏ। ଭାରତୀୟ ସେନା ଚାପରେ ଏହି ଦୁଇ ପ୍ରକଳ୍ପକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତେବେ, ଏହାର ଫଳାଫଳ ସ୍ବରୂପ ‘ପୃଥିବୀ’ ପ୍ରକଳ୍ପ ଆରମ୍ଭ ହୋଇଥିଲା।

ବ୍ୟକ୍ତିଗତ ଜୀବନରେ ସେ ଥିଲେ ସରଳ, ସାଦା-ସିଧା ମଣିଷ। ଆଜୀବନ ଅବିବାହିତ ଥିଲେ। ତାଙ୍କର କୌଣସି ସଂପତ୍ତି-ବାଡ଼ି ନ ଥିଲା। କିଛି ବହି, ଗୋଟିଏ ବୀଣା, ଗୋଟିଏ ଲାପ୍‌ଟପ୍‌, ଗୋଟିଏ ସିଡି ପ୍ଲେଆର୍‌ ଏବଂ କିଛି ପୋଷାକ ଥିଲା, ତାଙ୍କର ବ୍ୟକ୍ତିଗତ ସଂପତ୍ତି। ତାଙ୍କର ପରଲୋକ ପରେ ଏସବୁ, ତାଙ୍କ ବଡ଼ ଭାଇଙ୍କ ନିକଟକୁ ପଠାଇଦିଆଯାଇଥିଲା। ସେ କୌଣସି ଇଚ୍ଛା-ପତ୍ର ଲେଖି ନ ଥିଲେ। ସେ ଶୁଦ୍ଧ ଶାକାହାରୀ ଥିଲେ। ନୀତି-ନିଷ୍ଠ ମୁସଲମାନ ଥିଲେ; ଜଣେ ସର୍ବ-ଧର୍ମ-ସହିଷ୍ଣୁ ମଣିଷ। ହିନ୍ଦୁ ଧର୍ମ ଶାସ୍ତ୍ର ‘ଶ୍ରୀମଦ୍‌ଭଗବଦ୍‌ଗୀତା’ ପଢ଼ିଥିଲେ। ସଂସ୍କୃତ ଭାଷା ଶିକ୍ଷା କରିଥିଲେ। ବୀଣା ବାଦନ ଥିଲା ପ୍ରିୟ ଅବସର ବିନୋଦନ। ତମିଳ ଭାଷାରେ କବିତା ଲେଖୁଥିଲେ। ଶାସ୍ତ୍ରୀୟ ସଂଗୀତ ଶୁଣିବା ତାଙ୍କର ଏକ ରୁଚି ଥିଲା। ସ୍ବାମୀନାରାୟଣ ଧାର୍ମିକ ସଂପ୍ରଦାୟର ପ୍ରମୁଖ ସ୍ବାମୀଙ୍କୁ ସେ ନିଜର ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରିଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ‘ଟ୍ରାନ୍‌ସେନ୍‌ଡେନ୍‌ସ: ମାଇ ସ୍ପିରିଚ୍ୟୁଆଲ୍‌ ଏକ୍‌ସପେରିଏନ୍‌ସେସ୍‌ ଉଇଥ୍‌ ପ୍ରମୁଖ ସ୍ବାମୀଜି’ ରଚନା କରିଥିଲେ। ଶୈଶବରୁ ସେ ପିତାଙ୍କ ଧାର୍ମିକ ସ୍ବଭାବ ଦ୍ବାରା ଆକର୍ଷିତ ଥିଲେ। ତାଙ୍କ ପିତା ଜଣେ ଇମାମ ଥିଲେ ହେଁ ପ୍ରତି ଦିନ ସନ୍ଧ୍ୟାରେ, ରାମନାଥସ୍ବାମୀ ମନ୍ଦିରର ମୁଖ୍ୟ ପୂଜକ ପାକ୍ଷୀ ଲକ୍ଷ୍ମଣ ଶାସ୍ତ୍ରୀ ଏବଂ ସ୍ଥାନୀୟ ଗିର୍ଜାର ଧର୍ମଯାଜକଙ୍କ ସହ ଏକାଠି ଚାହା ପାନ କରିବା ସହ ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରୁଥିଲେ। ବିବିଧ ଧର୍ମାବଲମ୍ବୀ କିପରି ଏକତ୍ର ଶାନ୍ତିରେ ସହାବସ୍ଥାନ କରିବେ, ତାହା ସର୍ବଦା ଚାହୁଁଥିଲେ।
ଭାରତୀୟ ଯୁବ-ଶକ୍ତିର ବିକାଶ ନିମନ୍ତେ ୨୦୧୧ରେ କଲାମ ଆରମ୍ଭ କରିଥିଲେ- ‘ହ୍ବାଟ୍‌ କ୍ୟାନ୍‌ ଆଇ ଗିଭ୍‌’ ଆନ୍ଦୋଳନ। ଦୁର୍ନୀତିମୁକ୍ତ ଭାରତ ଗଢ଼ିବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଥିଲା କଲାମଙ୍କ ସ୍ବପ୍ନ। ଏଥି ପାଇଁ ସେ ପ୍ରସ୍ତୁତ କରିଥିବା ଯୋଜନାକୁ ‘ଇଣ୍ତିଆ ୨୦୨୦’ ପୁସ୍ତକ ରୂପ ଦେଇଯାଇଛନ୍ତି। କୃଷି ଓ ଖାଦ୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟ, ସୂଚନା ଓ ଯୋଗାଯୋଗ, ଭିତ୍ତିଭୂମି ଓ ଗମନାଗମନ ବ୍ୟବସ୍ଥା ଆଦିର ବିକାଶ ଦ୍ବାରା ଦେଶ ଆତ୍ମ-ନିର୍ଭରଶୀଳ ହୋଇପାରିବ ବୋଲି ସେ କହୁଥିଲେ। ୧୯୯୭ରେ ତାଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ‘ପଦ୍ମ ଭୂଷଣ’(୧୯୮୧) ଓ ‘ପଦ୍ମ ବିଭୂଷଣ’(୧୯୯୦) ପାଇଥିଲେ। ସେ ଚାଳିଶଟି ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍‌ଟରେଟ୍‌ ଲାଭକରିଥିଲେ। ୨୦୧୫ରେ ବାଲେଶ୍ବର ନିକଟବର୍ତ୍ତୀ ହୁଇଲର୍‌ ଦ୍ବୀପକୁ ତାଙ୍କ ନାମାନୁଯାୟୀ ‘ଅବଦୁଲ କଲାମ ଦ୍ବୀପ’ ଭାବେ ନାମିତ କରାଯାଇଥିଲା।

୨୦୧୦ରୁ ‘ଜାତି ସ˚ଘ’ର ଅନୁମୋଦନକ୍ରମେ, କଲାମଙ୍କ ସମ୍ମାନର୍ଥେ ପ୍ରତି ବର୍ଷ ଅକ୍‌ଟୋବର‌୍‌ ୧୫ରେ ପାଳନ କରାଯାଉଛି ‘ବିଶ୍ବ ବିଦ୍ୟାର୍ଥୀ ଦିବସ’। ଶିକ୍ଷାଦାନ ଏହି ବିଶ୍ବ-ବିଖ୍ୟାତ ବିଜ୍ଞାନୀଙ୍କର ପ୍ରିୟ କାର୍ଯ୍ୟ ଥିଲା। ସେ ଚାହୁଁଥିଲେ, ଜଣେ ଶିକ୍ଷକ ଭାବେ ଅନ୍ୟମାନେ ତାଙ୍କୁ ମନେରଖନ୍ତୁ। ସେ ବିଦ୍ୟାର୍ଥୀଙ୍କୁ ଭଲପାଉଥିଲେ ଏବ˚ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ତେଣୁ, ତାଙ୍କ ଜନ୍ମ ଦିନକୁ ‘ବିଶ୍ବ ବିଦ୍ୟାର୍ଥୀ ଦିବସ’ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସେ ଏକାଧିକ ଅଗ୍ରଣୀ ଶିକ୍ଷାନୁଷ୍ଠାନ(ଶିଲ˚, ଅହମଦାବାଦ ଓ ଇନ୍ଦୌରସ୍ଥିତ ଭାରତୀୟ ପ୍ରବନ୍ଧନ ସ˚ସ୍ଥାନ, ବେଙ୍ଗଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସ˚ସ୍ଥାନ, ଅନ୍ନା ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ହୈଦରାବାଦସ୍ଥିତ ଅନ୍ତରାଷ୍ଟ୍ରୀୟ ସୂଚନା ଔଦ୍ୟୋଗିକୀ ସ˚ସ୍ଥାନ ଆଦି)ରେ ଶିକ୍ଷାଦାନ କରିଥିଲେ। କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।