ବିଜେଡ଼ିରେ ଯୋଗଦେଲେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ବିଧାୟକ ସୁକାନ୍ତ ନାୟକ ଏବଂ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଦେବ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନୀଳଗିରି ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦେବ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ବିଧାୟକ ସୁକାନ୍ତ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆଜି ବିଜେଡ଼ିରେ ମିଶିବା ପରେ ଏହା ମୋର ଘରବାହୁଡ଼ା ହେଲା । ବିଜୁବାବୁଙ୍କ ଉଦ୍ଦେଶ୍ୟରେ ମୁଁ ପ୍ରଥମରୁ ଅନୁପ୍ରାଣିତ । କୌଣସି କାରଣରୁ ଅଭିମାନ କରି ୨୦୧୯ରେ ବିଜେଡ଼ି ଛାଡ଼ିଥିଲି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଶଙ୍ଖ ଭବନରେ ମିଶ୍ରଣ ପର୍ବ ପରେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ ସୁକାନ୍ତ ନାୟକ। ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, ମଣ୍ଡଳ ସଭାପତି ଅକ୍ଷୟ ବେହେରା, ଉପେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ ନିରଞ୍ଜନ ମହାନ୍ତି, ଅଶୋକାସିନି ନାୟକ, ପୂର୍ବତନ ବିଜେଡ଼ି ବ୍ଲକ ସଭାପତି ରମାକାନ୍ତ ମହାପାତ୍ର, ସଞ୍ଜୟ ସ, ନମା ସିଂ, ଅନାମ ଚରଣ ମଲ୍ଲିକ, ସରପଞ୍ଚ ସର୍ବଶ୍ରୀ ତାରିଣୀ ସିଂ, କୁଳମଣୀ ନାୟକ, ସଞ୍ଜୟ କୁମାର ସିଂ, ଦିଲ୍ଲୀପ ସିଂ, ରଞ୍ଜିତା ଦଣ୍ଡପାଟ, ଚନ୍ଦ୍ରମଣି ମୁର୍ମୁ, ଶାନ୍ତିଲତା ବିଶ୍ୱାଳ, ଅନ୍ନପୂର୍ଣ୍ଣା ସିଂ, ମୀନତି ମୁର୍ମୁ, ବସନ୍ତ କୁମାର ସିଂ, ସୁରଥ ଚନ୍ଦ୍ର ସିଂ, ବାହାମଣି ମାରାଣ୍ଡି, ସମିତିସଭ୍ୟ ସର୍ବଶ୍ରୀ ଭାଗବତ ଖିଲାର, ସୁକାନ୍ତି ଦାସ, କମଳାଲତା ବାରିକ, ଶୁକଦେବ ସିଂ, ବିନିତା ମଢ଼େଇ, ପାଗୁଲୁ ସିଂ, ରଶ୍ମିତା ମହାପାତ୍ର, ରଜନୀ ଗିରି, ରମାକାନ୍ତ ମଲ୍ଲିକ, ଶଶିଧର ମହାପାତ୍ର, ଅହଲ୍ୟା ନାୟକ, ପ୍ରଭାକର ବାଗୁଡ଼ାଇ, ରାଜୀବ କୁମାର ଦାସବାବୁ, ଟିକି ସିଂ, ସାବିତ୍ରୀ ସିଂ, ନାଏବ ସରପଞ୍ଚ ସର୍ବଶ୍ରୀ ରମାକାନ୍ତ ଧଳ, ସୁଶାନ୍ତ ମହାଳିକ, ହରେକୃଷ୍ଣ ମାଝୀ, ଲକ୍ଷ୍ମୀପ୍ରିୟା ସିଂ, ପ୍ରଫୁଲ୍ଲ ପାତ୍ର. ପୂର୍ବତନ ନୀଳଗିରି ଏନଏସି ଅଧ୍ୟକ୍ଷ ରାଧାଗୋବିନ୍ଦ ଖଟୁଆ, ପୂର୍ବତନ ଔପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଘଡ଼େଇ, ପୂର୍ବତନ ସରପଞ୍ଚ ସର୍ବଶ୍ରୀ ନିରଞ୍ଜନ ମଲ୍ଲିକ, ଉଦୟ କୁମାର ସ, ସେରାଲ ବାସ୍କେ, ସତ୍ୟବାନ ମଢ଼େଇ, ପୂର୍ବତନ ନୀଳଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତିଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।