ବଡ଼ଚଣା ବିଧାୟକ ଅମର ଶତପଥୀ ପିଉଛନ୍ତି ଡିଜେଲ!

ରାଜକୋଷରୁ ଟଙ୍କା ବୁହାଚାଲିଛି

ଯାଜପୁର: ବଡ଼ଚଣା ବ୍ଲକ ଅଫିସରେ ଅଚଳ ଜିପ ଚାଲୁଥିବା ଦର୍ଶାଇ ନିୟମିତ ଡିଜେଲ କିଣା ଯାଉଛି ଓ ସେ ବାବଦକୁ ରାଜକୋଷରୁ ଟଙ୍କା ବୁହାଚାଲିଛି । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଜାଣତରେ ଏସବୁ କାରନାମା ଚାଲିଛି ବୋଲି ଶୁଣିବାକୁ ମିଳିଛି । ସରକାରୀ ତଥ୍ୟ ମୁତାବକ ବଡ଼ଚଣା ବ୍ଲକ କାର୍ଯ୍ୟାଳୟରେ ଅଚଳ ପ୍ରାୟ ଜିପ (ଓଆର୦୪-୪୦୨୧) ତା’ର ବୈଧତା ହରାଇ ସାରିଛି । ଜିପର ବୀମା ହୋଇନାହିଁ । ୨୦୦୦ରେ ବୈଧତା ହରାଇଥିବା ଓ ବୀମାଭୁକ୍ତ ହୋଇ ନଥିବା ଜିପଟିକୁ ବିଡିଓ ବ୍ୟବହାର କରୁଛନ୍ତି କିପରି?

୨୦୨୧ ଜାନୁଆରୀରୁ ଡିସେମ୍ବର ଭିତରେ ପ୍ରାୟ ୨ ଲକ୍ଷ ୩୯ ହଜାର ଟଙ୍କା ଓ ୨୦୨୨ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୯୦ ହଜାର ଟଙ୍କା, ୨୦୨୩ ଜାନୁଆରୀରୁ ଏପ୍ରିଲ ସୁଦ୍ଧା ପ୍ରାୟ ୫୦ ହଜାର ଟଙ୍କାର ତେଲ ପୋଡ଼ିଥିବା ଦେଖାଇ ଦିଆଯାଇଛି ।

ଆଜକୁ ୨୫ ବର୍ଷ ତଳେ ଜିଲ୍ଲା ଅଡ଼ିଟ ଅଧିକାରୀ ତକ୍ରାଳୀନ ବିଡିଓଙ୍କ କଳା କାରନାମାକୁ ଠାବ କରି ତେଲ ବାବଦ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୨୦୦୦ରୁ ଏ ଯାଏ ବ୍ଲକ୍‌ ଦାୟିତ୍ୱ ତୁଲାଇଥିବା ବିଡିଓମାନେ ଅଚଳ ଜିପକୁ ସଚଳ ଦର୍ଶାଇ ତେଲ ବାବଦ ଅର୍ଥକୁ ହଡ଼ପ କରି ବିଧାୟକ ଶତପଥୀଙ୍କ ସିରସ୍ତାରେ ଜମା କରିଛନ୍ତି ବୋଲି ସଂପୃକ୍ତ ଅଫିସର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ।