ମୁଖ୍ୟମନ୍ତ୍ରୀ ନବୀନଙ୍କ ଅମଳରେ ଚାକିରି ନିଲାମ

ପରୀକ୍ଷା ବାତିଲ ପଛର ଖଳନାୟକଙ୍କୁ ଅଘୋଷିତ ରାଜକ୍ଷମା

ଏପ୍ରିଲରେ ଆକାଉଂଟାଟ ପରୀକ୍ଷା ବାତିଲ, ଜେଇ(ସିଭିଲ) ପରୀକ୍ଷା ବାତିଲ, ୨୦୨୨ରେ ଆସିଷ୍ଟାଂଟ ସେକ୍ସନ୍‌ ଅଫିସର (ଏଏସଓ) ପରୀକ୍ଷା ବାତିଲ ସଂପର୍କୀତ ମାମଲା ବିଚାରାଧୀନ, ୨୦୧୮ରେ ବିଜ୍ଞପ୍ତି ଅନୁଯାୟୀ କମ୍ବାଇନ୍‌ଡ ପୁଲିସ ସର୍ଭିସ ଏକ୍‌ଜାମିନେସନ୍‌ ୨୦୨୨ ଜୁଲାଇରେ ହୋଇଥିଲା । ପ୍ରଶ୍ନପତ୍ର ତ୍ରୁଟି କାରଣରୁ ତା’ର ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅଧୀନ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସଏସସି), ଓଡ଼ିଶା ପବ୍ଳିକ୍‌ ସର୍ଭିସ କମିଶନ (ଓପିଏସସି) ଓ ଓଡ଼ିଶା ପୁଲିସ ନିଯୁକ୍ତି ପରିଷଦ ପରିଚାଳିତ ପରୀକ୍ଷା ଗୁଡ଼ିକର ସ୍ୱଚ୍ଛତା ପ୍ରତି ସନ୍ଦେହ ଉପୁଜିଛି । ଫଳରେ ଲକ୍ଷାଧିକ ଚାକିରି ଆଶ।ୟୀଙ୍କ ଜୀବନ ସହିତ ଖେଳୁଛନ୍ତି ନବୀନ ସରକାର ।

ପରୀକ୍ଷା ବିଭ୍ରାଟ ପରେ ସରକାରଙ୍କର ନିରବତା ପରୀକ୍ଷାର୍ଥୀଙ୍କ ଆଶା ଭରସାକୁ ମାଟିରେ ମିଶାଇ ଦେଇଛି । ପରୀକ୍ଷା ବିଭ୍ରାଟ ପଛରେ ବଡ଼ବଡ଼ିଆ ଅଫିସରଙ୍କ ସଂପୃକ୍ତି ରହୁଥିବା ଆଶଙ୍କା କରାଯାଉଛି । ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ପରୀକ୍ଷା ବିଭ୍ରାଟର କାରଣ ଅନ୍ୟ ଏକ ବିରାଟ ସଫଳତା । ବିଜେଡି ସରକାରଙ୍କର ଚାକିରି ନିଲାମ ପ୍ରସଙ୍ଗ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସୂଚନା ମୁତାବକ ରାଜ୍ୟରେ ୨ ଲକ୍ଷ ୨୬ ହଜାରରୁ ଅଧିକ ସରକାରୀ ପଦବୀ ଖାଲିପଡ଼ିଛି । ତାହାକୁ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି, ପରୀକ୍ଷା ହେଉଛି, ପରୀକ୍ଷା ବାତିଲ ହେଉଛି । ତା’ରି ଭିତରେ ସରକାରୀ ଦଲାଲ ଓ ଘରୋଇ ଦଲାଲ ଭିତିରିଆ କାମ କରୁଛନ୍ତି । ପ୍ରଶ୍ନପତ୍ର ବିକା ହେଉଛି, ଚାକିରି ପାଇଁ ଲକ୍ଷାଧିକ ଟଙ୍କା ଦବାନବା ହେଉଛି ।

ଆପଣଙ୍କର ମନେଥିବ, ୨୦୨୧ ଜୁଲାଇରେ ଓଏସଏସସି ସଭ୍ୟଙ୍କର ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କର ଅମାପ ଧନ ଖୋଳତାଡ଼ କରିବାରୁ ଚାକିରି ନିଲାମ ମାମଲା ସାମ୍ନାକୁ ଆସିଥିଲା । ଉପର ଅଧିକାରୀଙ୍କ ବିନା ଅନୁମତିରେ ବିରଂଚି ବେଆଇନ କାମ କରୁଥିବେ ବୋଲି ଅଧିକାଂଶ ଲୋକ ବିଶ୍ୱାସ କଲେନାହିଁ । ଘଟଣାଟିକୁ ଖେଳାଇଲେ ନବୀନ ସରକାରଙ୍କର ରହସ୍ୟ ଧରାପଡ଼ିଯିବ, ତେଣୁ ତାକୁ ଚାପି ଦିଆଗଲା । ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଜାଣତରେ ମାଳମାଳ ବିରଂଚିି ପରୀକ୍ଷା ନିଲାମମ କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି । ପାଣ୍ଡିଆନ ଭଳି ହଜାର ହଜାର ଅଧିକାରୀ ନେପଥ୍ୟରେ ରହି ସବୁ ଘଟଣାର ଖଳନାୟକ ସାଜିଛନ୍ତି ।