ନିର୍ବାଚନରେ ଲଢ଼ିବୁନି କି ଜିତିବାକୁ ଦେବୁନି: ବିଜୁ ଜଳକା ଦଳ

‘ଆସନ୍ତା ନିର୍ବାଚନରେ ବିଜେଡିକୁ ସହଜରେ ଜିତିବାକୁ ଦେବୁନାହିଁ କି ନିର୍ବାଚନରେ ଲଢ଼ିବୁ ନାହିଁ ।’ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ବିଜେଡି ସଭାପତି ସୁଶାନ୍ତ ସର୍ବେଶ୍ୱରମ । ସେ କହିଛନ୍ତି, ‘ଆମର କ୍ଷମତା ପ୍ରତି ଲୋଭ ନାହିଁ । ନିର୍ବାଚନରେ ଜିତି ବିଧାୟକ କି ସାଂସଦ ହେବାର ଅଭିଳାଷ ନାହିଁ । ଆମେ ଲୋକଙ୍କ ପାଖରେ ରହି ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଶାସନକୁ ଧରା ପକାଇବୁ । ବିଗତ ୨୩ ବର୍ଷ ଭିତରେ ଯୋଉ ଯୋଜନାଗୁଡ଼ିକ ଅଧା ପନ୍ତରିଆ ପଡ଼ିଛି, ସେଗୁଡ଼ିକର ପର୍ଦ୍ଦାଫାଶ କରିବୁ । ଆମ ସହିତ ରାଜ୍ୟର ପ୍ରତ୍ୟେକ ଗଣମାଧ୍ୟମ ଅଛନ୍ତି । ରାଜ୍ୟର ସବୁ ରିପୋର୍ଟର, ସଂବାଦଦାତା ଆମକୁ ନବୀନ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶାସନର ଟିକିନିଖି ବିବରଣୀ ଦେବେ ।’

ବିଜେପି ଓ କଂଗ୍ରେସ ଭିତରୁ ଆପଣ କାହାକୁ ସମର୍ଥନ କରିବେ ପ୍ରଶ୍ନର ଜବାବରେ ସୁଶାନ୍ତ କହିଛନ୍ତି ଯେ ବିଜେଡିକୁ କ୍ଷମତାରୁ ହଟାଇବାର ତାକତ୍‌ ବିଜେପି କିମ୍ବା କଂଗ୍ରେସ ପାଖରେ ନାହିଁ । ବିଜେପିର ପ୍ରତିହିଂସା ପରାୟଣ ଶାସନ ଓ କଂଗ୍ରେସର ଗାନ୍ଧୀ-ନେହୁରୁ ଶରଣମ୍‌ ନୀତିକୁ ଆମେ ସମର୍ଥନ କରିବୁନି ।

ନବୀନଙ୍କ ଶାସନ କୌଶଳକୁ ଅତି ନିକଟରୁ ଦେଖିଲେ ବିଜେପି ଓ କଂଗ୍ରେସ ଶାସନ ନୀତିର ଝଲକ ଦେଖିବାକୁ ମିଳେ । କଂଗ୍ରେସର ପାରିବାରିକ ଶାସନ କଳାକୁ ନବୀନ ଅନୁସରଣ କରିବାର ସବୁଠାରୁ ବଡ଼ ପ୍ରମାଣ ହେଉଛି ବିଗତ ୨୩ ବର୍ଷ ଧରି ସଭାପତି ଆସନକୁ ମାଡ଼ିବସିବା ।

କଂଗ୍ରେସରେ ଲୋକ ଦେଖାଣିଆ ଗଣତନ୍ତ୍ର ରହିଛି । ଆଜିର ମଲ୍ଳିକାର୍ଜୁନ ଖାଡଗେ ନାମକୁ ମାତ୍ର ଅଧ୍ୟକ୍ଷ, କଂଗ୍ରେସର ଅସଲ ଚୁଟି ରହିଛି ସୋନିଆ ଗାନ୍ଧୀଙ୍କ ହାତରେ । ବିଜେଡି କହିଲେ ନବୀନ ପଟ୍ଟନାୟକଙ୍କୁ ବୁଝାଏ । ବିଜେଡିର ସବୁ ନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଗୋଟିଏ ଗୋଟିଏ ଛେଳି ଅବା ମେଣ୍ଢା।

ନବୀନ ପଟ୍ଟନାୟକ ସବୁବେଳେ ଆପଣା ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି । ତାଙ୍କ କାମରେ ବାଧା ଦେଉଥିବା ଲୋକକୁ ଶତ୍ରୁ ଭାବନ୍ତି । ଶତ୍ରୁକୁ ବାଟରୁ ହଟାଇବା ପାଇଁ ହତ୍ୟା ଷଡ଼ଯନ୍ତ୍ର କରିବାକୁ ନବୀନ ପଛାନ୍ତି ନାହିଁ । ବିଜୁ ଜଳକା ଦଳ ଗଠନ କରି ଆମେ ନବୀନ ପଟ୍ଟନାୟକଙ୍କର ଏକ ନମ୍ବର ଶତ୍ରୁ ପାଲଟିଛୁ । ପରିଣାମ ସ୍ୱରୂପ ପୁଲିସ ଆମ ବିରୋଧରେ ମିଛ ମାମଲା ରୁଜୁ କରି ଜେଲକୁ ପଠାଇ ମାରି ଦେଇପାରନ୍ତି । ବିଜେପି ମେଂଟରେ ରହିବା ଭିତରେ ନବୀନ ପଟ୍ଟନାୟକ ବିଜେପିର ପ୍ରତିହିଂସା ପର।।ୟଣ ଶାସନକୁ ଭଲ ଭାବରେ ଶିଖି ପାରିଛନ୍ତି ।