ଭୁବନେଶ୍ୱରକୁ ସ୍ମାର୍ଟସିଟି ପ୍ରତିଯୋଗିତାରେ ପୁଣି ସଫଳତା

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୨୫ /୦୬ : ଭୁବନେଶ୍ୱରକୁ ସ୍ମାର୍ଟସିଟି ପ୍ରତିଯୋଗିତାରେ ପୁଣି ସଫଳତା ମିଳିଛି । ଇଣ୍ଡିଆନ ସ୍ମାର୍ଟ ସିଟି-ଆଇଏସ୍ସି ଆୱାର୍ଡ ପ୍ରତିଯୋଗିତାରେ ଆଉ ଦୁଇଟି ପୁରସ୍କାର ରାଜଧାନୀ ଭୁବନେଶ୍ୱର ହାସଲ କରିଛି । ସହରାଚଂଳ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଏମ୍ସି ସାଧାରଣ ନାଗରିକ ସେବା ପୋର୍ଟାଲକୁ ପୁରସ୍କୃତ କରାଯାଇଥିଲା । ପୋର୍ଟାଲକୁ ସାମାଜିକ ବିଷୟବସ୍ତୁ ଓ ସରକାରୀ ସୁପରିଚାଳନା କ୍ଷେତ୍ରରେ ପୁରସ୍କୃତ କରାଯାଇଛି । ସାମାଜିକ ବିଷୟବସ୍ତୁ ବର୍ଗରେ ବିଏମ୍ସିର ଏହି ପୋର୍ଟାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସରକାରୀ ସୁପରିଚାଳନା କ୍ଷେତ୍ରରେ ତୃତୀୟ ସ୍ଥାନ ଅଧିକାର କରିଛି । ସାମାଜିକ ବିଷୟବସ୍ତୁ ବର୍ଗରେ ତିରୁପତି ପ୍ରଥମ ସ୍ଥାନରେ ରହିଥିବା ବେଳେ କର୍ଣ୍ଣାଟକର ଟୁମକରୁ ତୃତୀୟ ସ୍ଥାନରେ ରହିଛି । ସେହିପରି ସରକାରୀ ସୁପରିଚାଳନା କ୍ଷେତ୍ରରେ ଭଦୋଦରା ଏବଂ ଥାନେ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ ।

ଏଥିରେ ଦେଶର ୧୦୦ଟି ସହର ଭାଗ ନେଇଥିଲେ । ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସାମାଜିକ ସ୍ତରରେ ମଧ୍ୟ ଭୁବନେଶ୍ୱର ସ୍ମାର୍ଟସିଟି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏଥିସହ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷାକୁ ନେଇ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଂଶସା କରାଯାଇଛି । ରାଜଧାନୀରେ ୱାଇ-ଫାଇ ବ୍ୟବସ୍ଥା, ପବ୍ଲିକ ଟ୍ରାନ୍ସପୋର୍ଟ, ଜନକଲ୍ୟାଣ ଯୋଜନା ଭଳି ବିଭିନ୍ନ ବ୍ୟବସ୍ଥା ପାଇଁ ଅନ୍ୟ ସହର ଠାରୁ ଭୁବନେଶ୍ୱର ଆଗ ଧାଡିରେ ରହିଛି । ବିଏମ୍ସିକୁ ଏହି ପୁରସ୍କାର ମିଳିବା ପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ସଞ୍ଜୟ କୁମାର ସିଂ ଖୁସି ଜାହିର କରିଛନ୍ତି ।