ଅପରାଜିତା ହେଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିପେଜିର ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ ହୋଇଛନ୍ତି। ଆଜି ଦଳୀୟ ପଦ ପଦବୀରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିବା ବେଳେ ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି।

https://www.facebook.com/aparajitasarangiodisha/posts/902530493605223

ଆଇଏଏସ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ଅପରାଜିତା କେନ୍ଦ୍ରରେ ମନ୍ତ୍ରୀ ହେବେବୋଲି ଚର୍ଚ୍ଚା ହେଉଥିଲା। ତେବେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଥିବା ବେଳେ ଭୁବନେଶ୍ୱର ସାଂସଦ ବାଦ୍ ପଡ଼ିଥିଲେ। ଏହା ଅପରାଜିତାଙ୍କ ସମର୍ଥକଙ୍କୁ ନିରାଶ କରିଥିଲା। ବହୁ ଦକ୍ଷତାର ଅଧିକାରିଣୀ ଅପରାଜିତାଙ୍କୁ ଶେଷରେ ସାଂସଦ ହେବାର ବର୍ଷେ ପରେ ଦଳ ଏହି ଗୁରୁଦାୟିତ୍ୱ ଦେଇଛି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

https://twitter.com/BJP4India/status/1309803610205609985?ref_src=twsrc%5Etfw

ବିଜେପିର ଏହି ୨୩ ଜଣିଆ ମୁଖପାତ୍ର ତାଲିକାରେ ଓଡ଼ିଶାରୁ ସମ୍ବିତ ପାତ୍ର ନିଜର ସ୍ଥାନ ପୂର୍ବଭଳି ବଜାୟ ରଖିଛନ୍ତି। ସେହିଭଳି ବୈଜୟନ୍ତ ପଣ୍ଡା ଦଳର ରାଷ୍ଟ୍ରୀୟ ଉପସଭାପତି ପଦରେ ରହିଥିବା ବେଳେ ମୟୁରଭଞ୍ଜ ସାଂସଦ ଡ. ବିଶ୍ୱେଶ୍ୱର ଟୁଡୁଙ୍କୁ ଦଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ବର୍ତ୍ତମାନର ବରଗଡ଼ ସାଂସଦ ସୁରେଶ ପୂଜାରୀ ଦଳର ରାଷ୍ଟ୍ରୀୟ ସଂପାଦକ ରହିଥିଲେ।