ଗିରଫ ହେଲେ ଧର୍ମା ପ୍ରଡକ୍ସନ ନିର୍ଦ୍ଦେଶକ

ମୁୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲାର ତଦନ୍ତ ଦିନକୁ ଦିନ ନୂଆ ମୋଡ ନେବା ପରେ ବଲିଉଡର ଅନେକ ସେଲିବ୍ରିଟମାନେ ଏବେ ଏନସିବି ସ୍କାନରକୁ ଆସିଛନ୍ତି । ଟିଭି କଳାକାରଙ୍କଠାରୁ ଆରମ୍ଭ କରି ପ୍ରସିଦ୍ଧ ସିନେମା କଳାକାରମାନଙ୍କର ଏବେ ଗୁମର ଖୋଲିବାରେ ଲାଗିଛି ଏନସିବି । ଏହାରି ମଧ୍ୟରେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷିତିଜଙ୍କୁ ଗିରଫ କରିଛି ଏନସିବି ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରନ୍ ଜୋହରଙ୍କର ଧର୍ମା ପ୍ରଡକ୍ସନର ପୂର୍ବତନ କର୍ମଚାରୀ କ୍ଷିତିଜ୍ ପ୍ରସାଦଙ୍କୁ ଗିରଫ କରିଛି। ଏନ୍‌ସିବି ତାଙ୍କୁ ସମନ ଜାରି କରି ଗୁରୁବାର ଜେରା ପାଇଁ ଡାକିଥିବା ବେଳେ ଶୁକ୍ରବାର ଗିରଫ କରିିଥିବା ସୂଚନା ରହିଛି। ଏନ୍‌ସିବି ଡ୍ରଗ୍ସ ମାମଲାର ତଦନ୍ତ କାଳରେ କ୍ଷିତିଜ୍‌ଙ୍କ ଘରୁ ଖୁବ୍ କମ୍ ପରିମାଣ ଗଞ୍ଜେଇ ଜବତ କରିଥିଲା। ଏନସିବି ଅଧିକାରୀଙ୍କ ଅନୁଯାୟୀ, କ୍ଷିତିଜ୍‌ ଏକାଧିକ ବାର ଡ୍ରଗ୍ସ ଯୋଗାଡ଼ କରି ବ୍ୟବହାର ଲାଗି ଅନ୍ୟମାନଙ୍କୁ ପହଞ୍ଚାଇଛନ୍ତି।

ଏନ୍‌ସିବି ଡ୍ରଗ୍ସ ମାମଲାର ଯାଞ୍ଚ୍‌ କରି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଜେରା କରି ସାରିଛି। ଏନ୍‌ସିବି ଜେରା କାଳରେ ଦୀପିକା ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ବିଷୟରେ ହ୍ବାଟ୍‌ସଆପ୍‌ରେ ଚାଟ କରିଥି‌ଲେ । ଦୀପିକାଙ୍କୁ ଆଜି ଜେରା କରାଯାଇଥିବା ବେଳେ ଏନ୍‌ସିବି ପୂର୍ବରୁ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ଜେରା କରିଥିଲା।

ସେହିପରି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଜେରା ପାଇଁ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାହା ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଏନ୍‌ସିବି ଜେରା ପାଇଁ ଡାକିଥିଲା। ସେ ମଧ୍ୟ ଜେରାଲାଗି ସମୟରେ ପହଞ୍ଚି ଥିଲେ।