ଭୁବନେଶ୍ୱର(ଏସ୍ ନ୍ଯୁଜ): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦରରୁ ସ୍ବରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଛନ୍ତି। ଉଭୟ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ଦଳ ।
ତେବେ ବିଜେଡି ତିର୍ତ୍ତୋଲ ଆସନରୁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାକୁ ଚେଷ୍ଟା କରିଥିବା ବେଳେ ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ବାଲେଶ୍ୱର ବିଜେଡି ପାଇଁ ନୁଆ ଚେହେରା ଭାବେ ଉଭା ହୋଇଛନ୍ତି ।ବିଜେଡି ଏଥର ଦୁଇ ଯୁବ ଚେହେରାକୁ ଟିକେଟ ଦେଇଥିବା ବେଳେ ନିର୍ଵାଚନ ମୈଦାନରେ କେଉଁ ନୂଆ ରଣନୀତି ଦେଖାଉଛନ୍ତି ତାହାଦେଖିବାର ଅଛି ।
ପୂର୍ବରୁ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ବାଲେଶ୍ୱର ସଦର ଓ କଂଗ୍ରେସ ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି। ବିଜେପି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପରେ ଆଜି ବିଜେଡି ବି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ ସୁଭାଷିନୀ ଜେନା , ଜୀବନ ପ୍ରଦୀପ ଦାସ, ଅରୁଣ ଦେ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ଥିଲା। କେବଳ ସେତିକି ନୁହେଁ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ବି ଏହି ଆସନ ପାଇଁ ପ୍ରମୁଖ ଦାବିଦାର ବୋଲି ଆଲୋଚନା ସରଗରମ ହେଉଥିଲା।