ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ଅନୁମୋଦନ କରିଛନ୍ତି । ହେଲେ ଜଗତସିଂହପୁର ଜିଲ୍ଲା ସଭାପତି ପାଇଁ ସୁପ୍ରିମ କାହାକୁବି ମନୋନୟନ କରି ନାହାନ୍ତି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ରାଜନୌତିକ ଅସ୍ତିରତା ଦେଖା ଦେଇଛି । କାରଣ ଯୁବ ସଭାପତି ପଦ ପାଇଁ ଅନେକ ଦାବିଦାର ଥିବା ବେଳେ କାହିଁକି କାହା ନାଁରେ ସୁପ୍ରିମୋ ମୋହର ମାରିଲେ ନାହିଁ ତାକୁ ନେଇ ଆଲୋଚନା ଜୋର ଧରିଛି ।
ଅନ୍ୟ ଜିଲ୍ଲା ଗୁଡ଼ିକରେ ବିଜେଡି ସଭାପତିଙ୍କ ସୁପାରିଶ କ୍ରମେ ଯୁବ ସଭାପତି ଚୟନ ହୋଇଥିଲା । ହେଲେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଜି ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଦ୍ ପଡ଼ିଛି । ତେବେ ମନ୍ତ୍ରୀ ଓ ସଭାପତିଙ୍କ କଳିରେ ଜିଲ୍ଲାର ଯୁବ ସଭାପତି ବଛା ଯାଇ ପାରି ନଥିବା କୁହାଯାଉଥିବା ବେଳେ ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।
ସୂଚାନଥାଉକି, ଦୀର୍ଘ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଭାବରେ ସ୍ୱର୍ଗତ ବିଷ୍ଣୁ ଦାସ ରହିଥିଲେ। ଜିଲ୍ଲା ଯୁବ ସଭାପତି, ମହିଳା ସଭାନେତ୍ରୀ, ଛାତ୍ର ସଭାପତି ଭାବେ ସେ ଯାହାକୁ ଚାହୁଁଥିଲେ ତାକୁ କରୁଥିଲେ । ସଭାପତି ଭାବରେ ତାଙ୍କ କଥାକୁ ଗ୍ରହଣ କରାଯାଉଥିଲା । ହେଲେ ସାଧାରଣ ନିର୍ବାଚନ ଠାରୁ ବିଷ୍ଣୁ ଦାସଙ୍କୁ ସଭାପତି ପଦରୁ ହଟାଇ ଯୁବ ସଭାପତି ଥିବା ଅମରେନ୍ଦ୍ର ଦାସଙ୍କୁ ଜିଲ୍ଲା ସଭାପତି କରାଗଲା । ହେଲେ ନିର୍ବାଚନ ସରିବା ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିଜେଡି ସଭାପତି ପଦ ଦିଆଯାଇଥିଲା ।
ଅନ୍ୟପଟେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିମାନଙ୍କ ନାମ ତାଲିକା ପ୍ରକାଶ ପାଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଧର୍ମଶାଳା ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି।
କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାୟକଙ୍କୁ ଚୟନ କରାଯାଇଥିବା ବେଳେ ସେକ୍ରେଟେରି ଜେନେରାଲ ଭାବେ ଏଲିନା ଦାସଙ୍କୁ ଏବଂ ବରିଷ୍ଠ ଉପାଧ୍ୟକ୍ଷ ଭାବେ ରାଣା ପ୍ରତାପ ପାତ୍ର, ଧୃତି ରଞ୍ଜନ ମାର୍ଥା, ଜୋସ୍ନାମୟୀ ପରିଡ଼ାଙ୍କୁ ଚୟନ କରାଯାଇଛି।
ସେହିପରି ଜୋନ୍ ଅଧ୍ୟକ୍ଷ ଭାବେ ଭୁବନେଶ୍ବର ପାଇଁ ବିଜୟ କେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ବାଇଁ, ବଲାଙ୍ଗୀର ପାଇଁ ମନୀନ୍ଦ୍ର ମହାନ୍ତି, ସମ୍ବଲପୁର ପାଇଁ ଦେବାଶିଷ ପରିଡା ଓ .କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି ଦଳର ସଭାପତି । ଏଥସହ ୩୫ ଜଣ ସଂପାଦକ, ୨୫ ଜଣ ଯୁଗ୍ମ-ସଂପାଦକ ଏବଂ ପ୍ରତି ଜିଲ୍ଲା ଲାଗି ସଭାପତି ନିଯୁକ୍ତ ହୋଇଛନ୍ତି।