ଅକ୍ଟୋବର ୨୨ ଯାଏଁ ଜେଲରେ ରହିବେ ଓମର ଖାଲିଦ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ସିଏଏ ବିରୋଧୀ ହିସାଂରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଛନ୍ତି ଜେଏନୟୁର ପୂର୍ବତନ ଛାତ୍ରନେତା ଓମର ଖାଲିଦ। ଏବେ ସେ ଅକ୍ଟୋବର ୨୨ ତାରିଖ ଯାଏଁ ଜେଲରେ ରହିବେ ବୋଲି ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ(ୟୁଏପିଏ) ଆଧାରରେ ଓମର ଖାଲିଦଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସିଆଲ୍ ସେଲ। ସୂଚନା ଅନୁସାରେ ସେପ୍ଟେମ୍ବର ୧୪ ତାରିଖରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍। ପ୍ରାୟ ୧୧ ଘଣ୍ଟା ପଚରାଉଚରା କରାଯିବା ପରେ ସେ ହିଂସା ପାଇଁ ଉସକାଇଥିବା ପ୍ରମାଣ ମିଳିଥିଲା। ଏହା ପରେ ହିଁ ପୋଲିସ ତାଙ୍କୁ ଗିରଫ କରିଥିଲା।

ଚଳିତ ବର୍ଷ ଫେବ୍ରୁଆରୀ ମାସ ୨୩ ରୁ ୨୬ ତାରିଖ ମଧ୍ୟରେ ସିଏଏ ଏନଆରସିକୁ ବିରୋଧ ପ୍ରଦର୍ଶନ କରି ଉତ୍ତରପୂର୍ବ ଦିଲ୍ଲୀରେ ହିଂସା ହୋଇଥିଲା। ଏଥିରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିଲା ଓ ଶତାଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ଏନେଇ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ସିପିଏଆଇଏମ ମହାସଚିବ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବ, ଆପ୍ ବିଧାୟକ ତାହିର ହୁସେନଙ୍କ ଭଳି ବହୁ ବଡ଼ ବଡ଼ିଆଙ୍କ ନାଁ ରହିଛି।