ଆଇପିଏଲ: ଆଜି ପଞ୍ଜାବ-ବାଙ୍ଗାଲୋର ଲଢ଼େଇ

ଦୁବାଇ: ଆଜି ଆଇପିଏଲ-୨୦୨୦ର ଷଷ୍ଠ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ ଠାରେ ଖେଳାଯିବ। ପରସ୍ପରକୁ ଭେଟିବେ କିଙ୍ଗ୍ସ ଏକାଦଶ ପଞ୍ଜାବ(କେଏକ୍ସଆଇପି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ପ୍ରଥମ ମ୍ୟାଚ୍ ହାରିଥିବା ପଞ୍ଜାବ ଟିମ୍ ଉପରେ ସମସ୍ତଙ୍କ ନଜର ରହିଛି।

ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିଥିଲା ପଞ୍ଜାବ। ମୟଙ୍କ ଅଗ୍ରୱାଲ ୮୯ ରନର ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସୁଦ୍ଧା ମ୍ୟାଚ୍ ସୁପର ଓଭରରେ ପହଞ୍ଚିଥିଲା। ଦୁର୍ଭାଗ୍ୟବଶତଃ ସୁପର ଓଭରରେ ଦଳ ଦିଲ୍ଲୀ ଠାରୁ ହାରିଥିଲା। ଏଣୁ ଆଜିର ମ୍ୟାଚକୁ ଜିତିବା ପାଇଁ ପଞ୍ଜାବ ସମସ୍ତ ପ୍ରୟାସ କରିବ। ପ୍ରଥମ ମ୍ୟାଚରେ କ୍ରିସ୍ ଗେଲଙ୍କୁ ସୁଯୋଗ ମିଳିନଥିଲା। ଆଜି ସେ ମୈଦାନକୁ ଓହ୍ଲାଇ ପାରନ୍ତି।

ଅନ୍ୟପଟେ ପରାଜୟରୁ ପ୍ରାୟତଃ ସିଜିନ ଆରମ୍ଭ କରୁଥିବା ଆରସିବି ଏଥର ପ୍ରଥମ ମ୍ୟାଚ୍ ଜିତିଛି। ଏଣୁ ଦଳୀୟ ଖେଳାଳିଙ୍କ ମନୋବଳ ବେଶ ଦୃଢ଼ ରହିଛି। ପ୍ରଥମ ମ୍ୟାଚ୍ ଦଳ ହାଇଦ୍ରାବାଦ ବିପକ୍ଷରେ ଖେଳିଥିବା ବେଳେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଏବି ଡିଭିଲିୟର୍ସ, ଦେବଦୂତ ପାଡ଼ିକଲ ଏବଂ ସ୍ପିନର ଯୁଜଭେନ୍ଦ୍ର ଚହଲ। ତେବେ ଫାଷ୍ଟ ବୋଲରଙ୍କୁ ନେଇ ପ୍ରଥମରୁ ଚିନ୍ତାରେ ରହିଆସିଛନ୍ତି ଅଧିନାୟକ କୋହଲି। ଆଜି ଏ କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ।