୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିସହ ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୭ରୁ ୨୯ ତାରିଖ ମଧ୍ୟରେ ଭଲ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରେ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଭ୍ୟନ୍ତରୀଣ ଓଡିଶାରେ ବିଜୁଳି, ଘଡଘଡି ସହ ବର୍ଷା ହେବ ।

ଉପକୂଳ ଓଡିଶାର ବାଲେଶ୍ୱର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖ ଆଡକୁ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେବ । ଏଥିସହ ୨୮ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୯ ତାରିଖ ଦିନ କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡା, ଅନୁଗୁଳ, କଟକ, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନେକ ଜିଲ୍ଲାରେ ସେଦିନ ଅତିପ୍ରବଳ ବର୍ଷାର ବି ଆଶଙ୍କା କରାଯାଉଛି । ରାଜ୍ୟରେ ୧ ଜୁନରୁ ୨୫ ଜୁଲାଇ ମଧ୍ୟରେ ୩୯୭.୯ ମିମି ବର୍ଷା ହୋଇଯାଇଛି ।