ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ହୋଇଛି ବୋଲବମ ଯାତ୍ରା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟରେ ମହାମାରୀ କରୋନା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ହୋଇଛି ବୋଲବମ ଯାତ୍ରା । ଶ୍ରାବଣ ମାସରେ ଅନେକ ମାନସିକ ଧାରୀ ପାଣି ଧରି ବିଭିନ୍ନ ଶୈବ ପୀଠକୁ ଚାଲିଚାଲି ଯାତ୍ରା କରିଥାନ୍ତି । କିନ୍ତୁ କରୋନା ଯୋଗୁଁ ଚଳିତ ବର୍ଷ ଶୈବପୀଠ ଭକ୍ତଶୂନ୍ୟ । ସମସ୍ତ ଶ୍ରଦ୍ଧାଳୁ କୋଭିଡ ନିୟମକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟର ବିଭିନ୍ନ ଶୈବପୀଠରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ । କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠ ବି ଶୂନଶାନ । ଏଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା କଟକଣା ପାଇଁ ଠାକୁରଙ୍କ ଦର୍ଶନ ନ ପାଇ ଶ୍ରଦ୍ଧାଳୁ ମାନେ ନିରାଶ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।