ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ସୋମବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପା‌ଠପଢ଼ା ଆରମ୍ଭ ହୋଇଛି। ପୂର୍ବରୁ ବିଦ୍ୟାଳୟଗୁଡ଼ିକ କ୍ୟାମ୍ପସ୍‌ ସଫେଇ କରିବା ସହ ଆସବାବପତ୍ରଗୁଡ଼ିକର ବିଶୋଧନ କରିଛନ୍ତି। ସକାଳ ୧୦ଟାରୁ କ୍ଲାସ୍‌ ଆରମ୍ଭ ହେବାକୁ ଥିବାରୁ ପ୍ରଥମଦିନ ଏହାର ଏକ ଘଣ୍ଟା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପିଲାମାନେ କ୍ୟାମ୍ପସ୍‌ରେ ପ୍ରବେଶ ସମୟରେ ଯେପରି ସାମାଜିକ ଦୂରତା ରକ୍ଷାକରିବେ, ପ୍ରଧାନଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି। ସୂଚନା ଅନୁସାରେ, କ୍ୟାମ୍ପସ୍‌ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍‌ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରଇ(ଏସଓପି) ଲାଗୁ କରାଯାଇଛି। ଏହା ଅନୁଯାୟୀ ସ୍କୁୁଲରେ ଛାତ୍ରଛାତ୍ରୀ ମାନଙ୍କ ବସିବାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ତେବେ ସ୍କୁଲ ଆସିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପିତା ମାତାଙ୍କ ଠାରୁ ଅନୁମତି ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।
ତେବେ ଯେଉଁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସିପାରିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ପଢିବାକୁ ବ୍ୟବସ୍ଥା କରାଯାଇଛି। ତେବେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ଜିଲ୍ଲାକୁ ନୋଡାଲ ଅଫିସର ମାନଙ୍କୁ ପଠାଯାଇଛି। ତେବେ ସ୍କୁଲରେ ପିଲାମାନଙ୍କ ଆସ୍ଥାନ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି।