ଶିକାରୀ ଗୁଳିରେ ଦଶମ ଶ୍ରେଣୀ ଛାତ୍ର ମୃତ

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଓ ଚକାପାଦ ବ୍ଲକ୍‌ ଲାଇନପଡା …

ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଓ ଚକାପାଦ ବ୍ଲକ୍‌ ଲାଇନପଡା ନିକଟ ବୁଡେଣି ଗ୍ରାମରେ ଶନିବାର ରାତିରେ ଶିକାରୀର ଗୁଳିରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ପ୍ରାଣ ଚାଲିଯାଇଛି। ମୃତକ ହେଲେ, ମାଧବ କହଁରଙ୍କ ପୁଅ ବିଭୂତି କହଁର (୧୫)। ଶିକାର କରିବା ଉଦ୍ଦେଶ୍ୟରେ ଶିକାରୀ ଜଣକ ତାଙ୍କୁ ସାଙ୍ଗରେ ନେଇ ଯାଇଥିବା ବେଳେ ଭୁଲ୍‌ବଶତଃ ଗୁଳି ଫୁଟିଯିବା ଫଳରେ ବିଭୂତିଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି।

ବିଭୂତି ଖଜୁରୀପଡ଼ା ବ୍ଲକ୍‌ ରଣପାଟୁଳି ଉଚ୍ଚ ବିଦ୍ୟାଳୟ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିବା ବେଳେ ଏଥର ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ। ସୂଚନାନୁସାରେ, ପ୍ରତାପ କହଁର (୨୮) ଓ ସୁମନ ବିନ୍ଧାଣୀ ଗତକାଲି ରାତି ୯ଟାରେ ସ୍ଥାନୀୟ ମଣିଆଡାମି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର କରିବାକୁ ବାହାରିଥିଲେ। ବିଭୂତିଙ୍କୁ ଡାକି ସାଙ୍ଗରେ ନେଇଥିଲେ। ପ୍ରତାପ ଗ୍ରାମର ବରୁଣ କହଁରଙ୍କଠାରୁ ଦେଶୀ ବନ୍ଧୁକ ଭଡାରେ ମାଗି ନେଇଥିବା ବେଳେ ସୁମନ ନିଜର ଦେଶୀବନ୍ଧୁକ ଓ ଟାଙ୍ଗିଆ ଧରି ବାହାରିଥିଲେ।

ରାତି ପ୍ରାୟ ସାଢେ ୧୦ଟାରେ ଦୁଇଟି ଦେଶୀ ବନ୍ଧୁକରୁ ଗୁଳି ଫୁଟିଥିଲା। କିନ୍ତୁ ପ୍ରତାପର ବନ୍ଧୁକରୁ ଫୁଟିଥିବା ଗୁଳି ବିଭୂତିଙ୍କ ଡାହାଣ ଆଖି ପାଖରେ ବାଜି ପଛପଟକୁ ବାହାରି ଯାଇଥିଲା। ଘଟଣାସ୍ଥଳରେ ହିଁ ବିଭୂତି ଟଳି ପଡିଥିବା ବେଳେ ପ୍ରତାପ ଓ ସୁମନ ଗାଁକୁ ଫେରି ଆସିଥିଲେ। ପ୍ରତାପ ସଙ୍ଗେ ସଙ୍ଗେ ବରୁଣଙ୍କୁ ବନ୍ଧୁକ ଫେରାଇବା ସହ ଗୁଳି ଫୁଟି ବିଭୂତିଙ୍କ ମୃତ୍ୟୁ ହୋଇଥିବା କହି ଫେରାର ହୋଇଯାଇଥିଲା। ସେପଟେ ସୁମନ ନିଜ ଘରେ ଘଟଣା ବିଷୟରେ ଜଣାଇବା ମୃତକ ବିଭୂତିଙ୍କ ପରିବାରକୁ ବି ଅବଗତ କରିଥିଲେ। ରାତାରାତି ପରିବାର ଲୋକ ଜଙ୍ଗଲକୁ ଯାଇ ବିଭୂତିଙ୍କ ଶବକୁ ଠାବ କରିଥିଲେ।

ରବିବାର ସକାଳେ ବାପା ମାଧବ ଟିକାବାଲି ପୁଲିସକୁ ସୂଚନା ଦେବା ପରେ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କେସ୍‌ ନମ୍ବର ୮୬/୨୬ରେ ମାମଲା ରୁଜୁ ସହ ଦୁଇଟି ବିନା ଲାଇସେନ୍ସ୍‌ ଦେଶୀବନ୍ଧୁକ ଓ ଟାଙ୍ଗିଆ ଆଦି ଜବତ ହୋଇଥିବା ଥାନାଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପ୍ରତାପ ଫେରାର ହୋଇ ଯାଇଥିବା ବେଳେ ବୌଦ୍ଧରୁ ସାଇଂଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଂଚି ଛାନଭିନ୍‌ କରିଛନ୍ତି। ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏକମାତ୍ର ପୁଅକୁ ହରାଇ ମାଧବ ଭାଙ୍ଗିପଡିଛନ୍ତି।