ରାଜ୍ୟର ୫ଟି ଉପକୂଳବର୍ତୀ ଜିଲ୍ଲାରେ ବର୍ତମାନ ପ୍ରାୟ ୨୫୯.୦୬ ବର୍ଗ କିଲୋମିଟର ପରିମିତ ଅଂଚଳରେ ଲୁଣା ଜଙ୍ଗଲ ରହିଛି। ତା’ ଭିତରେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ୨୧୨ ବର୍ଗ କିଲୋମିଟରରୁ ଅଧିକ ଲୁଣା ଜଙ୍ଗଲ ରହିଛି। ଏହା ଭାରତର ଦ୍ୱିତୀୟ ସର୍ବବୃହତ୍ ଲୁଣା ଜଙ୍ଗଲ ଭାବେ ପରିଚୟ ପାଇଛି।
ଅଭିନବ ବୈଜ୍ଞାନିକ ପଦ୍ଧତି, ନୀତିଗତ ସମନ୍ୱୟ ଏବଂ ଗୋଷ୍ଠୀ ସହଭାଗିତାରେ ଓଡ଼ିଶା ଉପକୂଳରେ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରାଯାଉଛି। ଫଳରେ ଜଳବାୟୁ ପରିବର୍ତନ ଭଳି ଆହ୍ୱାନ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ପ୍ରତିରୋଧ କରିବାରେ ଏହି ଲୁଣା ଜଙ୍ଗଲ ଉପକୂଳ ଅଂଚଳରେ ଏକ ଶକ୍ତିଶାଳୀ ସୁରକ୍ଷା ପ୍ରାଚୀର ହୋଇ ଛିଡା ହେଉଛି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ମାର୍ଗଦର୍ଶନରେ କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା କର୍ତୃପକ୍ଷ (କାମ୍ପା) ସହାୟତାରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି।

ଭିତରକନିକା ଜାତୀୟ ଉଦ୍ୟାନ ଅଂଚଳରେ ଲୁଣା ଜଙ୍ଗଲ ଅଭିବୃଦ୍ଧି ଦିଗରେ ଓଡିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ଏହା ଅଧୀନରେ ନ୍ୟାସ୍ନାଲ୍ ସେଂଟର ଫର୍ ସଷ୍ଟେନେବଲ କୋଷ୍ଟାଲ ମ୍ୟାନେଜମେଂଟ୍ (ଏନ୍ସିଏସସିଏମ୍) ପକ୍ଷରୁ ସ୍ଥାପିତ ‘ଡାଟା ବୁଏଜ’ ମାଧ୍ୟମରେ ପରିବେଶଗତ ଚାପ ଓ ପ୍ରଦୂଷଣର ମାତ୍ରା ଅନୁଧ୍ୟାନ କରାଯାଉଛି।
ଏହି ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଲୁଣା ଜଙ୍ଗଲର ସ୍ଥାୟୀ ପୁନରୁଦ୍ଧାର ଓ ସଂରକ୍ଷଣ ବ୍ୟବସ୍ଥା ଅଧିକ ପ୍ରଭାବୀ ହୋଇପାରୁଛି। ‘ଲୁଣା ଜଙ୍ଗଲର ପରିମାଣ ବୃଦ୍ଧି ଓ ଏହାର ସୁରକ୍ଷା ପାଇଁ କାମ୍ପା ପାଣ୍ଠି ସହାୟତାରେ ପଦକ୍ଷେପ ନିଆଯାଇ କେବଳ ଚାରାରୋପଣ ନୁହେଁ, ଲୁଣା ଜଙ୍ଗଲର ସାମଗ୍ରିକ ପରିସଂସ୍ଥାର ପୁନରୁଦ୍ଧାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ବିଶେଷ କରି, ସମୁଦ୍ରର ଜୁଆର ପାଣି ଯେପରି ଲୁଣା ଜଙ୍ଗଲ ଭିତରକୁ ଯାଇପାରିବ, ସେଥିପାଇଁ ପୋତି ହୋଇଯାଇଥିବା ନାଳଗୁଡ଼ିକୁ ଅଧିକ ଗଭୀର କରି ଖୋଳାଯାଉଛି। ଏହା ସହିତ ଜଙ୍ଗଲ ସୁରକ୍ଷା ପାଇଁ କିଛି ନିର୍ଦ୍ଦିଷ୍ଟ ଜାଗାରେ ତାରବାଡ଼ ଘେର ମଧ୍ୟ ଦିଆଯାଉଛି,’ କହିଛନ୍ତି ରାଜନଗର ଲୁଣା ଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ) ଅଧିକାରୀ ଶ୍ରୀ ବରଦରାଜ ଗାଓଁକର।