ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ

ମୋଟ ୨୯୧ ଗୋଟି ଅଭିଯୋଗର ହେଲା ଶୁଣାଣି

୧୬ ଅଭିଯୋଗର ତତକ୍ଷଣାତ ସମାଧାନ …

ବାରିପଦା: (ଅଦୈତ ଭାରତ): ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଧନୁର୍ଜୟ ମହାନ୍ତ, ବାରିପଦା ଉପ-ଜିଲ୍ଲାପାଳ କସ୍ତୁରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ।

ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୨୯୧ ଗୋଟି ଅଭିଯୋଗର ଶୁଣାଣି କରାଯାଇଛି । ଏଥିରେ ୨୬୦ ଗୋଟି ବ୍ୟକ୍ତିଗତ ସମସ୍ୟା ଆଧାରିତ ଥିବାବେଳେ ୩୧ ଗୋଟି ସାମୁହିକ ସମସ୍ୟା ସମ୍ବଳିତ ଅଭିଯୋଗ ହୋଇଛି । ତନ୍ମଧ୍ୟରୁ ୧୬ ଗୋଟି ଅଭିଯୋଗର ତତକ୍ଷଣାତ ସମାଧାନ ଜନ ଅଭିଯୋଗ ଶିବିରରେ କରାଯାଇଛି । ଏହାସହ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଓ ୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଆଜିର ଜନ ଅଭିଯୋଗ ଶୁଣାଣିରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସୟ ନିର୍ଦ୍ଧେଶ ଦେଇଛନ୍ତି ।
ଜନ ଅଭିଯୋଗ ଶୁଣାଣୀ ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡର ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସଫଳ କରିଥିଲେ ।