ମୂଳ ଛାଡି ଚୁଳ ଧରୁଛି ପୋଲିସ ବୋଲି ଚର୍ଚ୍ଚା 

କାକବନ୍ଧ ଆଶ୍ରମ ଛାତ୍ରୀମୃତ୍ୟୁ ଘଟଣା : ମୁଖ୍ୟ କାର୍ପଟଦାରଙ୍କ ମଧ୍ୟରୁ ଆଉଜଣେ ବ୍ୟକ୍ତି ଗିରଫ 

ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ  ରାସଗୋବିନ୍ଦପୁର ଥାନା ଅଧୀନ ….

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ  ରାସଗୋବିନ୍ଦପୁର ଥାନା ଅଧୀନ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୪୬ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ସହିତ ଚିକିତ୍ସାଧୀନ ଅବସ୍ଥାରେ  ରୂପାଲି ବେସ୍ରା ନାମକ ଜଣେ ଛାତ୍ରୀ ମୃତ୍ୟୁବରଣ କରିବା ଘଟଣା ସାରା ରାଜ୍ୟରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୃତଛାତ୍ରୀ ରୂପାଲିଙ୍କ ମରଶରୀର ଆଶ୍ରମ ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଉପସ୍ଥିତ ଲୋକେ ପୋଲିସ ଉପରକୁ ଟେକା ପଥର, ପେଟ୍ରୋଲ ବମ ଫିଙ୍ଗିଥିଲେ ଏବଂ ଏଥିରେ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସେହିପରି ମୃତଛାତ୍ରୀ ଥିବା ଗାଡିକୁ ଦୀର୍ଘ ୧୭ ଘଣ୍ଟା ଧରି ଅଟକ ରଖା ଯାଇଥିଲା। ଉକ୍ତ ଘଟଣାକୁ ନେଇ ଥାନାରେ  ସମ୍ପୃକ୍ତ ବହୁ ଲୋକଙ୍କ ନାମରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଛଅଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ଉସୁକାଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିବା ମୁଖ୍ୟ କାର୍ପଟଦାରଙ୍କ ମଧ୍ୟରୁ ଆଜି ଆଉ  ଜଣଙ୍କୁ ବେତନଟୀ ଥାନା ଅଞ୍ଚଳରୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବଡସାହି ଥାନା ଅଧୀନ କାଳିମାହାଲି ଗ୍ରାମର ଦୁଲାରାମ ମୁର୍ମୁ। ପୋଲିସ ଦୁଲାରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ସୂଚନା ମିଳିଛି।

ମାତ୍ର ମୂଳକୁ ଛାଡି ଚୁଳକୁ ଧରୁଛି ପୋଲିସ କାହିଁକି ? ଏଭଳି ପଦକ୍ଷେପ ନେଇ କାହାକୁ ସୁରକ୍ଷା ଦେବାକୁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ l ଉଲ୍ଲେଖଯୋଗ୍ୟ ଘଟଣା ଦିନ ଛାତ୍ରୀ ରୁପାଲିର ମୃତଦେହ ନେଇ ଆସିଥିବା ସ୍ବର୍ଗରଥ ଘଟଣାସ୍ଥଳକୁନେଇ ଜଳନ୍ତା ନିଆଁରେ ଘିଅ ଢାଳି ଥିଲା କିଏ ? ତେଵେ କଣ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କେହି ସରକାରୀ ଅଧିକାରୀ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ମୋହରା ସାଜି ଏଭଳି ବିଶୃଙ୍ଖଳିତ ଦାୟିତ୍ୱହୀନ ପଦକ୍ଷେପ ନେଇ ଘଟଣାକୁ ଉସୁକାବା ଲକ୍ଷ୍ୟରେ ମୃତଦେହ ଥିବା ସ୍ବର୍ଗରଥ ନେଇଥିଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟିର ସୂତ୍ରଧର ସାଜିଥିବା ବେଳେ ପୋଲିସ ସେହି ଦାୟୀତ୍ୱହୀନ ଅଧିକାରୀଙ୍କୁ ଖୋଜି କାଢୁନି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି l ଅନ୍ୟ ସମ୍ପୃକ୍ତଙ୍କୁ ଯୋଉ ଅପରାଧ ଆଧାରରେ ଗିରଫ କରାଯାଉଛି, ସେହି ଆଧାରରେ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ସମ୍ପୃକ୍ତ ଉକ୍ତ ଅଧିକାରୀଙ୍କୁ ତଦନ୍ତକାରୀ ପୋଲିସ ଅଫିସର ଏବଂ ରାସଗୋବିନ୍ଦପୁର ଥାନା ପୋଲିସ ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ ଉଠୁଛି l ତେଵେ କଣ ପୋଲିସ କେବଳ ସାଧାରଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବ କିନ୍ତୁ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେବ ବୋଲି ଅଭିଯୋଗ କରି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି l

ତେଵେ ଏ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣାରେ ତଦନ୍ତ  ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଘଟଣାସ୍ଥଳରେ କେତେବେଳେ ଓ କାହିଁକି ଉତ୍ତେଜନା ବୃଦ୍ଧି ପାଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେଲା ଆଉ ଏଥିପାଇଁ ଦାୟୀ କିଏ ସେ ପ୍ରସଙ୍ଗ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ତଦନ୍ତ ଆଗକୁ ବଢ଼ାଇବା ଉଚିତ ବୋଲି ମତପ୍ରକାଶ ପାଉଛି l ମାତ୍ର ଏ ଘଟଣାରେ ବାସ୍ତବରେ ନିରପେକ୍ଷତା ଅବଲମ୍ବନ କରୁଛି ନା କେବଳ ସାଧାରଣ ଲୋକଙ୍କୁ ଗିରଫ କରି ବାହାବାନେଇ ଅଧିକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରି ନିର୍ବାଚିତ ଲୋକପ୍ରତିନଧିଙ୍କୁ ଶରବ୍ୟ ହେବା ପାଇଁ ଛାଡି ଦେଉଛି ଦେଖିବାକୁ ବାକି ରହିଲା l