ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ତ୍ତ ବିଭାଗର ‘ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି । ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ ଏବଂ ପ୍ରକଳ୍ପଗୁଡ଼ିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହେବା ସହିତ ଏଥିରେ ଅଧିକ ଦକ୍ଷତା ଆସିପାରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଉନ୍ନତ GIS ଡ୍ୟାସବୋର୍ଡ ମାଧ୍ୟମରେ ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ସାର୍ବଜନୀନ ସମ୍ପତ୍ତି ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର ସଦ୍ୟ ଚିତ୍ର ଦେଖିହେବ । ଜିଲ୍ଲା ଏବଂ ବ୍ଲକସ୍ତରରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଜାଣିହେବ । ଏହା ସହିତ ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ ସଠିକ୍ ସ୍ଥାନ ନିରୂପଣ କରିବାକୁ ରାସ୍ତା ଏବଂ ସାଟେଲାଇଟ୍ ମ୍ୟାପ୍ ମଧ୍ୟ ଦେଖିହେବ । ତେଣୁ ଏହି ବ୍ୟବସ୍ଥାରେ ଅଧିକ ଆର୍ଥିକ ସ୍ୱଚ୍ଛତା ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଲାଇଭ୍ ପ୍ରୋଜେକ୍ଟ ଟ୍ରାକିଂ, ଆର୍ଥିକ ତଦାରଖ, ସକ୍ରିୟ ବିପଦ ସତର୍କତା ଏବଂ କାର୍ଯ୍ୟଦକ୍ଷତା ନିରୀକ୍ଷଣ ସୁବିଧା ଦ୍ୱାରା ପ୍ରକଳ୍ପକୁ ନେଇ ନିଷ୍ପତ୍ତି ଗ୍ରହଣ କରିବା ଆହୁରି ସହଜ ହେବ। ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡକୁ ଆହୁରି ବ୍ୟାପକ କରି ଅନ୍ୟ ବିଭାଗଗୁଡ଼ିକ ଦ୍ୱାରା ବ୍ୟବହାର ଉପଯୋଗୀ କରାଯିବ। ଏହାଦ୍ୱାରା ଓଡ଼ିଶାର ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ବ୍ୟବସ୍ଥା ଆହୁରି ଦୃଢ଼ ହେବ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ଆହୁରି ତ୍ୱରାନ୍ୱିତ ହେବ।