ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା

ଆତଙ୍କୀ ହମ୍‌ଲା ପଛରେ ସଂଶୋଧିତ ୱାକଫ୍ ଆଇନ!

ପେହଲଗାମ ଆତଙ୍କୀ ହମ୍‌ଲାକୁ ସାରା ବିଶ୍ୱ କଡ଼ା ନିନ୍ଦା କରିଛି । ଆତଙ୍କୀ ହମ୍‌ଲାର ପ୍ରଚଣ୍ଡ ଜବାବ ଦେବା ପାଇଁ ଆମ ପ୍ରଧାନମନ୍ତ୍ରୀ ବଜ୍ର ଶପଥ ଗ୍ରହଣ କରିଛନ୍ତି । ପ୍ରତିରକ୍ଷା ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଭାରତ ସରକାରଙ୍କ ମହା ମହା ଅଧିକାରୀ ଆତଙ୍କୀ ହମ୍‌ଲା ପାଇଁ ପାକ୍‌ ଆଇଏସ୍‌ଆଇକୁ ଦାୟୀ କରିଛନ୍ତି ।

ପେହଲଗାମ ଅଂଚଳର ଯୋଉ ସ୍ଥାନରେ କିଛି ସଶସ୍ତ୍ର ଆତଙ୍କୀ ନିରସ୍ତ୍ର ଓ ବିଚରା ପର୍ଯ୍ୟଟକଙ୍କୁ କଲବଲ କରି ଗୁଳି ମାରି ହତ୍ୟା କଲେ । ସେହି ସ୍ଥାନରେ ଜମ୍ମୁ-କଶ୍ମୀର ସରକାର ଅବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଜ୍ଞ ସୁରକ୍ଷାକର୍ମୀଙ୍କୁ ମୁତୟନ କରା ନଯିବା ପଛରେ କାରଣ କ’ଣ ହୋଇପାରେ ।

ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷାକର୍ମୀଙ୍କୁ ମୁତୟନ ନ କରିବା ପାଇଁ ଆତଙ୍କୀ ସଂଗଠନ ପକ୍ଷରୁ ଜମ୍ମୁ-କଶ୍ମୀର ସରକାର ଅବା କେନ୍ଦ୍ର କ୍ୟାବିନେଟ୍‌କୁ ଅନୁରୋଧ କରାଯାଇଥିଲା କି?

ଆମ ପ୍ରଶ୍ନର ଉତର ଯଦି ନା’ ହୁଏ, ତେବେ ପେହଲଗାମ ପର୍ଯ୍ୟଟନ କ୍ଷେତ୍ରରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହମ୍‌ଲା ପାଇଁ ଜମ୍ମୁ-କଶ୍ମୀର ସରକାର ଓ ମୋଦୀ ସରକାର ପ୍ରଥମେ  ନିଜକୁ ଦାୟୀ କରିବାର ସତ୍‌ସାହସ ଦେଖାନ୍ତୁ । ଗୁରୁଚଣ୍ଡାଳ ଭୁଲ ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ।

ଏତେବଡ଼ ଭୁଲ କରି ପଡେ଼ାଶୀ ଦେଶ ମୁଣ୍ଡରେ ଦୋଷ ଲଦି କ୍ଷମତାସୀନ ମେଂଟ ଆରାମରେ ଖସିଯିବାକୁ ବସିଛି । ଏକା ପ୍ରଧାନମନ୍ତ୍ରୀ ନୁହନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସମପରିମାଣରେ ଦାୟୀ । ବିଜେପି ସହିତ ହାତ ମିଳାଇଥିବା ପ୍ରତିଟି ରାଜନୈତିକ ଦଳ ଦାୟୀ ।

୨୦୧୯ ନିର୍ବାଚନରେ ୩୦୩ ଆସନ ପାଇଥିବା ବିଜେପି ୨୦୨୪ ନିର୍ବାଚନରେ ୨୪୦ ଆସନକୁ ଖସିଯିବା ସତ୍ୱେ ମୁସଲିମ ସମୁଦାୟ ବିରୋଧୀ ପଦକ୍ଷେପ ଗ୍ରହଣ କରିଛି । ସମ୍ବିଧାନର ନିରପେକ୍ଷତା’ ଶବ୍ଦକୁ ଉପହାସ କରିଛି । ସଂଶୋଧିତ ୱକଫ୍‌ ଆଇନ ଲାଗୁ କରି ବିଜେପି ସାରାଦେଶରେ ସାମ୍ପ୍ରଦାୟିକ କାର୍ଡ ଖେଳିବାକୁ ଯାଉଛି ।

ଦେଶର ସମ୍ବିଧାନ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି । ସଚେତନ ନାଗରିକ ଗୋଷ୍ଠୀ ଏକ ହୋଇ ଦେଶକୁ ମହାବିପଦରୁ ରକ୍ଷା କରନ୍ତୁ । ନଚେତ୍‌ ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ ବଂଚାଇବା କଷ୍ଟକର ହୋଇପଡ଼ିବ ।