ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କମ୍ବିଂ ଅପରେସନ୍

ମାଲକାନଗିରି: ପଞ୍ଚାୟତ ନିର୍ବାଚନ ବେଳେ ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ଆସନ୍ତା ୨୪ ତାରିଖରେ ତଥା ଶେଷ ପର୍ଯ୍ୟାୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ରହିଛି । ତେଣୁ ଏହି ଅଞ୍ଚଳରେ ଏସଓଜି, ଡିଭିଏଫ ଓ ବିଏସଏଫ ବାହିନୀ ପକ୍ଷରୁ ଲଗାତର କମ୍ବିଂ ଅପରେସନ ଜାରି ରହିଛି । ରବିବାର ଯନ୍ତ୍ରୀ ପଞ୍ଚାୟରେ ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ଜଙ୍ଗଲ ଭିତରେ ନକ୍ସଲପନ୍ଥୀଙ୍କ ଏକ ସୁଡଙ୍ଗ ପାଇଥିଲେ ସୁରକ୍ଷାକର୍ମୀ । ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟାଇବା ଲାଗି ନକ୍ସଲମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଲୁଚାଇ ରଖିଥିଲେ ।

ସେଥିରେ ରହିଥିଲା ଟିଫିନ ବୋମା, ଲ୍ୟାଣ୍ଡମାଇନ, ବ୍ୟାଟେରୀ, ରିମୋଟ, ଦେଶୀ ବନ୍ଧୁକ, ପିସ୍ତଲ ଓ କୋଡେକ୍ସ ୱାର ସହ ଅନେକ ବିସ୍ଫୋରକ । ଅନ୍ୟପଟେ ମାଲକାନଗିରି ଏସପି ନୀତେଶ ୱାଦୱାନୀ କହିଛନ୍ତି, ନକ୍ସଲମାନେ ଯେତେ ଯାହା କଲେ ମଧ୍ୟ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ନିରପେକ୍ଷ ନିର୍ବାଚନ କରାଯିବ ।