ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କସରତ ଆରମ୍ଭ କରିଦେଇଛନ୍ତି । ରବିବାର ବିଜେପି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବା ପରେ ବିଜେଡି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାହା ଉପରେ ରହିଛି ନଜର । ତେବେ ଏହାରି ମଧ୍ୟରେ ସୂଚନା ମିଳିଛି ଯେ ମଙ୍ଗଳବାର କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିପାରେ ।

କାଲି ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାନେଇ କମିଟି ସଦସ୍ୟ ଜୟଦେବ ଜେନା ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ଗତ ୭ ତାରିଖରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୧୪ ତାରିଖ ନାମାଙ୍କ ଦାଖଲର ଶେଷ ଦିବସ ହୋଇଥିବାବେଳେ ୧୭ ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ଦିବସ ରହିଛି । ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ଏହାପରେ ନଭେମ୍ବର ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଧାମନଗର ବିଧାନସଭା ଆସନ ବିଜେପି ହାତରେ ରହିଆସିଛି । କିନ୍ତୁ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲିପଡ଼ିଥିବା ଏହି ଆସନକୁ ଅକ୍ତିଆର କରିବା ପାଇଁ ବିଜେଡି, କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି । ଏପରି ସ୍ଥିତିରେ ଆସନ ବଜାୟ ରଖିବା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।