ଡିଏଫଓ ଏବଂ ଓଆଇସିଙ୍କୁ ଆଜି ହୋଇପାରେ ଜେରା

ପାରଳାଖେମୁଣ୍ଡି, (ଏସ୍‌ ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା । ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ହେଁ ମୃତ୍ୟୁ ଉପରୁ ପରଦା ହଟିପାରୁନି । ଘଟଣାରେ ପୋଲିସ ତଦନ୍ତ କୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ ସହଯୋଗ କରୁଛି । ଏହିପରିପ୍ରେକ୍ଷୀରେ ଆଜି ସୌମ୍ୟରଞ୍ଜନ ଘରେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ପହଞ୍ଚିଛି । ଏହା ସହ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରିବାର ସୂଚନା ମିଳିଛି । ବିଭିନ୍ନ ତଥ୍ୟକୁ ନେଇ ଛାନଭିନ୍‌ ଜାରି ରଖିଛି ତଦନ୍ତକାରୀ ଟିମ । ଖବର ଅନୁଯାୟୀ, ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ ଏସିଏଫଓ ସୌମ୍ୟରଞ୍ଜନ ସରକାରୀ ବାସଭବନରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିବ ତଦନ୍ତକାରୀ ଟିମ୍‌ । ସୌମ୍ୟଙ୍କ ମୃତ୍ୟୁ ନେଇ ତଦନ୍ତକାରୀ ଟିମ ଆଗରେ ଅନେକ ଗୁଡିଏ ପ୍ରଶ୍ନ ରହିଛି । ଯାହାକୁ ନେଇ ଖୋଲତାଡ଼ ଜାରି ରଖିଛି ଟିମ । ଏହା ହତ୍ୟା ନା ଅଘଟଣ । ଯଦି ଅଘଟଣ ଘଟିଛି, ତେବେ କିପରି ଓ କେମିତି ଘଟିଲା । ସେନେଇ ଛାନଭିନ କରୁଛି କ୍ରାଇମ୍‌ବ୍ରାଞ୍ଚ । ସେହିପରି ଯଦି ସୌମ୍ୟଙ୍କୁ ହତ୍ୟା କରାଯାଇଛି । ତେବେ ଏହି ହତ୍ୟା ପଛରେ କିଏ କିଏ ସାମିଲ ଅଛନ୍ତି । ଏହିପରି ଅନେକ ଅଡୁଆ ସୁତାର ଖିଅ ଖୋଜୁଛି ତଦନ୍ତକାରୀ ଟିମ୍‌ । ସେହିପରି ଅନ୍ୟପଟେ ଏହି ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । ସୌମ୍ୟଙ୍କ ପରିବାର ଲୋକଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ଡିଏଫଓଙ୍କ ନାଁ ଥିବାରୁ, ତାଙ୍କୁ ପଚରାଉଚରା କରିବ ପୋଲିସ ।