ଇପିକଲ୍‌ କାର୍ଯ୍ୟ ସମୀକ୍ଷା: ପୁଞ୍ଜିନିବେଶ ରୂପାୟନକୁ ଗୁରୁତ୍ୱ

ଇଣ୍ଡଷ୍ଟ୍ରିଆଲ୍‌ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଂଟ୍‌ କର୍ପୋରେସନ …

ଭୁବନେଶ୍ୱର: ଇଣ୍ଡଷ୍ଟ୍ରିଆଲ୍‌ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଂଟ୍‌ କର୍ପୋରେସନ ଅଫ୍‌ ଓଡ଼ିଶା ଲିମିଟେଡ୍‌ (ଇପିକଲ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ଆଲୋଚନା ବେଳେ, ପୁଞ୍ଜିନିବେଶ ପ୍ରସ୍ତାବଗୁଡିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ସମସ୍ତ ବିଭାଗୀୟ ନୋଡାଲ ଅଧିକାରୀଙ୍କୁ ଉଦ୍ୟୋଗୀ ମନୋଭାବ ଗ୍ରହଣ କରିବା ସହ ଶିଳ୍ପଗୁଡ଼ିକର ସହଜ କାର୍ଯ୍ୟକାରିତା ପାଇଁ ଅଧିକ ସକ୍ରିୟ ଭାବେ ସହାୟତା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଚାଲୁ ରହିଥିବା ଶିଳ୍ପଭିତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶ ରୋଡ୍‌ ଶୋ’ ନେଇ ସମୀକ୍ଷା କରିଥିଲେ। ଏହା ସହ ରାଜ୍ୟରେ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ’ ବ୍ୟବସ୍ଥାରେ ସୁଧାର ଏବଂ ଶିଳ୍ପଗୁଡ଼ିକୁ ସାହାଯ୍ୟ କରିବା ପାଇଁ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଡିଜିଟାଲ୍‌ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।
ଓଡ଼ିଶାକୁ ସାରା ବିଶ୍ୱରେ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳ ଭାବେ ପ୍ରତିଷ୍ଠିତ କରିବା ଉପରେ ବୈଠକରେ ଜୋର ଦେଇଛନ୍ତି ମନ୍ତ୍ରୀ ସ୍ୱାଇଁ। ଏଥିପାଇଁ ତଥ୍ୟ-ଆଧାରିତ ନିବେଶକ ଚୟନ, ଜିଲ୍ଲାସ୍ତରୀୟ ସଂସ୍ଥାଗୁଡ଼ିକ ମାଧ୍ୟମରେ ପ୍ରକଳ୍ପ ଅନୁଧ୍ୟାନ ଏବଂ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଆଉଟରିଚ୍‌ କାର୍ଯ୍ୟକ୍ରମ ଆୟୋଜନ ଉପରେ ସେ ଗୁରୁକ୍ୱ ଦେଇଥିଲେ। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପ ନିର୍ଦ୍ଦେଶିକା ଆବୋଲି ନରଭଣେଙ୍କ ସମେତ ଇପିକଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।