ଛାତ୍ରୀଙ୍କୁ ୨୪ ଘଂଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’

ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ …

ଭୁବନେଶ୍ୱର: ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶକ୍ତିଶ୍ରୀ ଭଳି ଏକ ଯୋଜନା ହାତକୁ ନିଆଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ବିଭାଗ ପକ୍ଷରୁ ‘ଶକ୍ତିଶ୍ରୀ’ ମୋବାଇଲ ଆପ୍‌ ପ୍ରସ୍ତୁତ ହୋଇଛି । ଏହି ଆପ୍‌କୁ ଶିକ୍ଷାର୍ଥୀମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏ ସମ୍ପର୍କରେ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି।
ଏହି ଆପ୍‌ରେ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ। ଏଥିରେ ଏସ୍‌ଓଏସ୍‌ ଆସିଷ୍ଟାଂଟ୍‌, ସେଫ୍ଟି ଚେକ୍‌ ଇନ୍‌, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍‌ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି। ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ ଦିଆଯିବ। ଏଥିସହ ଛାତ୍ରୀ କିମ୍ବା ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା କୌଣସି ସ୍ଥାନରେ ବିପଦରେ ପଡିଲେ ସଙ୍ଗେ ସଙ୍ଗେ ଲାଇଭ୍‌ ଲୋକେସନ୍‌ ପଠାଇ ପାରିବାର ସୁବିଧା ମଧ୍ୟ ରହିଛି। ଜରୁରୀକାଳୀନ ଫୋନ୍‌ ସୁବିଧା ମଧ୍ୟ ରହିଛି। ପ୍ରତିଦିନ କିପରି ନିଜର ଦକ୍ଷତା ବୃଦ୍ଧି ହୋଇପାରିବ ଏହି ଆପ୍‌ରେ ମଧ୍ୟ ପ୍ରଶିକ୍ଷଣ ମିଳିପାରିବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀମାନେ ବର୍ତମାନ ପଢ଼ୁଛନ୍ତି, ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି। ପଢ଼ୁଥିବା ସମସ୍ତ ଛାତ୍ରୀଙ୍କ ମୋବାଇଲ ଫୋନ୍‌ରେ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଯେପରି ଏହି ଆପ୍‌ ଇନ୍‌ଷ୍ଟଲ ହେବ ଆଉ ତାର ଉପଯୋଗ କରିବେ। ତାକୁ ସୁନିଶ୍ଚିତ କରାଅ ବୋଲି ନିର୍ଦ୍ଦେଶ ଦେଇଛି ବିଭାଗ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ କୁହାଯାଇଛି। ଏହା ବାବଦରେ ନୋଟିସ୍‌ ପ୍ରକାଶ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ, କ୍ଲାସରୁମ୍‌ କମ୍ୟୁନିକେସନ୍‌, ହ୍ୱାଟସ୍‌ଆପ୍‌ ଗ୍ରୁପ ଆଦିରେ ଏହାର ପ୍ରଚାର ପ୍ରସାର କରାଇବାକୁ କୁହାଯାଇଛି।

ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରିବା ପରେ ପଞ୍ଜୀକରଣ କରିବାକୁ ତଥ୍ୟ ମାଗିବ। ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ସାମ୍‌ସ ଆଇଡି, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ନମ୍ବର, ଲିଙ୍ଗ, ସାମ୍‌ସରେ ପଞ୍ଜିକୃତ ମୋବାଇଲ ନମ୍ବର ଦେବା ସହ ଦୁଇଟି ଜରୁରୀକାଳୀନ ମୋବାଇଲ ନମ୍ବର ପ୍ରଦାନ କରିବେ। ଏହି ଆପ୍‌ ୨୪ ଘଂଟିଆ ସେବା ପ୍ରଦାନ କରିବ। ଏହାକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପ୍‌ରେ ତଥ୍ୟ ପ୍ରଦାନ କରିପାରିବେ। ଏହାକୁ ଉଚ୍ଚଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭାଗ ଯାଏ ସମସ୍ତଙ୍କ ପାଖରେ ଏହି ଅଭିଯୋଗ ପହଂଚି ପାରିବ। ଏହାର ତ୍ୱରିତ୍ୱ ସମାଧାନ ହେବ। ବିଶେଷ କରି ଜରୁରୀକାଳୀନ ଅପସନ୍‌ରେ କ୍ଲିକ୍‌ କଲେ ଏହା ସଙ୍ଗେ ସଙ୍ଗେ ଅଧିକାରୀଙ୍କୁ ସତର୍କ କରିବ।

ସୂଚନାଯୋଗ୍ୟ, ଗତବର୍ଷ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ସରକାର ତତ୍ପରତା ପ୍ରକାଶ କରିଥିଲେ। ଶକ୍ତିଶ୍ରୀ ଭଳି କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ। ଏଥିସହ ଶକ୍ତିଶ୍ରୀ ମୋବାଇଲ୍‌ ଆପ୍‌ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଆପ୍‌କୁ ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଛନ୍ତି। ତେବେ ଏହି ଆପ୍‌ର ବ୍ୟବହାର ବୃଦ୍ଧି କରିବାକୁ ବିଭାଗ ପକ୍ଷରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ତାଗିଦ୍‌ କରାଯିବା ଲାଗି ଚିଠି ଲେଖାଯାଇଛି।